ମହାକାଶରେ ବାଜି ମାରିଲା ଚୀନ୍‌, ଚନ୍ଦ୍ରର ଡାର୍କ ସାଇଡ୍‌ରେ ଓହ୍ଲାଇଲା ‘ଚାଙ୍ଗ-4’

ମହାକାଶରେ ଆଉ ଏକ ବାଜି ମାରିନେଇଛି ଚୀନ୍‌ । ଚନ୍ଦ୍ରର ଡାର୍କ ସାଇଡ୍‌ ବା ଅନ୍ଧକାର ପଟରେ ଏକ ମହାକାଶ ଯାନ ‘ଚାଙ୍ଗ-4’କୁ ଅବତରଣ କରାଇଛି ଚୀନ୍‌ । ଚନ୍ଦ୍ରର ଏହି ଭାଗରେ ପ୍ରଥମ ଥର ପାଇଁ କୌଣସି ମହାକାଶଯାନ ପହଞ୍ଚିଛି ।

ଏ ଯାଏଁ ଆମେରିକା, ଋଷ ଓ ଚୀନ୍‌ ହିଁ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରାଇବାରେ ସଫଳ ହୋଇଛନ୍ତି । କିନ୍ତୁ ଚୀନ୍‌ ଏବେ ମାଇଲ୍‌ ଖୁଣ୍ଟ ପ୍ରତିଷ୍ଠା କରିଛି, ଯାହା ବିଶ୍ବର କୌଣସି ଦେଶ କରିନାହିଁ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ବଡ଼ ପଦକ୍ଷେପକୁ ଏକ ବଡ଼ ବିପ୍ଲବ ବୋଲି ବିଶ୍ବାସ କରାଯାଉଛି ।

ଦୀର୍ଘ ବର୍ଷ ହେଲା ଚୀନ୍‌ ଏହି ମିଶନରେ ଲାଗିଥିଲା । ଏବେ ତାକୁ ଏହି ମିସନରେ ସଫଳତା ମିଳିଛି । ଚାଙ୍ଗ-4 ଚନ୍ଦ୍ରର ଡାର୍କ ସାଇଡ୍‌ରେ ଓହ୍ଲାଇଛି । ଏହି ଯାନରେ ଏକ ଲ୍ୟାଣ୍ଡର ଓ ଏକ ଛୋଟ 6 ଚକିଆ ରୋଭର ରହିଛି । ଏହି ରୋଭର ଚନ୍ଦ୍ର ପୃଷ୍ଠର ଅନୁଧ୍ୟାନ କରିବ ।

ବିକିରଣର ସ୍ତର ବାବଦରେ ବି ରୋଭର ପତ୍ତା ଲଗାଇବ । ଚନ୍ଦ୍ର ପୃଷ୍ଠରୁ ମାଟି ନମୁନା ସଂଗ୍ରହ କରିବ । ଚନ୍ଦ୍ରର ଏହି ଅଂଶରେ ଖଣିଜ ବାବଦରେ ମଧ୍ୟ ସନ୍ଧାନ କରାଯାଇପାରିବ । ଭବିଷ୍ୟତରେ ଚନ୍ଦ୍ରକୁ ମାନବଯାନ ପଠାଇବାକୁ ଯୋଜନା କରୁଛି ଚୀନ୍‌ । ଏହାକୁ ନେଇ ଚୀନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛି ।

Related Posts