ନୂଆଦିଲ୍ଲୀ : ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଆସାମ ପୋଲିସ ଦ୍ୱାରା ଗିରଫଦାରୀକୁ ନେଇ ବର୍ଷିଛନ୍ତି ରାହୁଲ୍ । ରାହୁଲ ଗାନ୍ଧି ଏକ ଟ୍ୱିଟ୍‌ କରି କହିଛନ୍ତି ସରକାର ତାଙ୍କ କଳ ଲଗାଇ ସତ୍ୟକୁ ପଦଦଳିତ କରିପାରନ୍ତି ହେଲେ କେବେ ବନ୍ଦୀ କରିପାରିବେନି ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ପାର୍ଟି ମୁଖପାତ୍ର ରଣଦୀପ ସୂରଜେୱାଲା ଶେହନଶାହ ଘାବରେଇ ଯାଇଥିବା କହିଛନ୍ତି। ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଆସାମ ପୋଲିସ ରାତାରାତ ଗିରଫ କରିନେଉଛି ଏହା ଭୟର ଏକ ବାର୍ତ୍ତା ଓ ଭୟର ସଂକେତ ଦେଉଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏ ଦେଶରେ ସାମ୍ପ୍ରଦାୟୀକ ସୌହାର୍ଦ୍ଦ୍ୟ ଲାଗି ନିବେଦନ କରିବା, ଧର୍ମ ନାମରେ ଲୋକଙ୍କୁ ନ ଲଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବା କଣ ଅପରାଧ ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି।

ତେବେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଭାଇଚାରା ଲାଗି ଆମର ସଂଘର୍ଷ ଜାରି ରହିବ ବୋଲି ସୂରଜେୱାଲା କହିଛନ୍ତି। ନା ମୋଦିଜୀ ଏହାକୁ ହରାଇ ପାରିବେ ନା ଦେଶର କୌଣସି ଶକ୍ତି ବୋଲି ସେ କହିଛନ୍ତି। ତେବେ ପୁରା କଂଗ୍ରେସ ପାର୍ଟି ମୋୱାନୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଥିବା ସୂରଜେୱାଲା କହିଛନ୍ତି।

ସେପଟେ କଂଗ୍ରେସ ଏକ ଟ୍ୱିଟ୍‌ରେ ଆସାମ ପୋଲିସ ଯେଉଁପରି ଅଗଣତାନ୍ତ୍ରିକ ଉପାୟରେ ଗୁଜରାଟ ବିଧାୟକ ଜିଗ୍ନେସ ମେୱାନୀଙ୍କୁ ଗିରଫ କରିଛି ଏହା ସମ୍ବିଧାନ ବିରୋଧୀ ଓ ଜନତାଙ୍କ ଅପମାନ ବୋଲି ଉଲ୍ଲେଖ କରିଛି। ଉଲ୍ଲେଖଯୋଗ୍ୟ ଯେ ଏକ ଟ୍ୱିଟ୍‌ ପ୍ରସଙ୍ଗରେ ଆସାମ ପୋଲିସ ଗୁଜରାଟ ବିଧାୟକ ମେୱାନୀଙ୍କୁ ପାଲନପୁର ସହରରୁ ବୁଧବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି।

ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହି ସୂଚନା ଅନୁସାରେ ମେୱାନୀଙ୍କୁ ଗୁରୁବାର ପ୍ରତ୍ୟୁଷରେ ବିମାନ ଯୋଗେ ଆସାମ ନେଇ ନିଆଯାଇଛି। ମେୱାନୀଙ୍କ ସହଯୋଗୀ ସୂରେଶ ଜାଟ କହିଛନ୍ତି ଯେ ଗୁଜରାଟର ପ୍ରମୁଖ ଦଳିତ ନେତା ମେୱାନୀଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩-ଏ ରେ ରୁଜୁ ଏତଲା ଅନୁସାରେ ଗିରଫ କରାଯାଇଛି। ଏହି ଏତଲା ଆସାମର କୋକ୍ରାଝର ଥାନାରେ ରୁଜୁ କରାଯାଇଥିଲା।