ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଗୁରୁତର ହେଉଛି ବିଦ୍ୟୁତ ସଂକଟ । ଅନେକ ରାଜ୍ୟରେ ବର୍ତ୍ତମାନ ଠାରୁ ବିଦୁ୍ୟତ କାଟ ଆରମ୍ଭ ହେଲାଣି । ତେବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାରଣ୍ଡ ଓ ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଏବେ ବିଦ୍ୟୁତ କାଟ ଆରମ୍ଭ ହୋଇସାରିଲାଣି। ଫଳରେ ଗରମରେ ଲୋକେ ଏବେ ସନ୍ତୁଳି ହେଉଛନ୍ତି।ଦେଶର ଅଧିକ ଜନସଂଖ୍ୟାର ରାଜ୍ୟ ଉତ୍ତରପ୍ରଦେଶରେ ଆବଶ୍ୟକତା ହିସାବରେ କୋଇଲା ଷ୍ଟକ୍ ଏବେ ମାତ୍ର ୨୬ ପ୍ରତିଶତ ଅଛି। ଫଳରେ ବିଦ୍ୟୁତ ସଂକଟ ଆହୁରି ଗୁରୁତର ହେବ ବୋଲି ଆଶଙ୍କା କରାଗଲାଣି। ୟୁପିର ଥର୍ମାଲ ପାୱାର ପ୍ଲାଣ୍ଟ ଆବଶ୍ୟକ କରୁଥିବା କୋଇଲାର ମାତ୍ର ଏକ ଚତୁର୍ଥାଂଶ ଏବେ ଗଚ୍ଛିତ ଅଛି। ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁ ଅଚାନକ ବିଦ୍ୟୁତ ଆବଶ୍ୟକତା ବଢିଯାଇଛି। ଏବେ ରାଜ୍ୟର ବିଦ୍ୟୁତ ଚାହିଦା ଗତ ୩୮ ବର୍ଷର ସର୍ବୋଚ୍ଚ ସୀମାକୁ ଛୁଇଁଛି।ୟୁପିର ଅନପରା ଥର୍ମାଲ ବିଦ୍ୟୁତ ପ୍ରକଳ୍ପର କ୍ଷମତା ୨ ହଜାର ୬୩୦ ମେଗାୱାଟ୍ ହୋଇଥିବା ବେଳେ ଏଥିଲାଗି ଆଗୁଆ ୧୭ ଦିନ ନିମନ୍ତେ କୋଇଲା ଷ୍ଟକ୍ କରାଯାଇଥାଏ। ତେବେ ଚଳିତବର୍ଷ କଥା ଭିନ୍ନ, କୋଇଲା ଠିକରେ ପହଞ୍ଚିପାରୁ ନଥିବାରୁ ଏବେ ମାତ୍ର ୭ ଦିନ ଲାଗି ଷ୍ଟକ୍ ଥିବା ଜଣାପଡିଛି। ସେହିପରି ହରଦୁଆଗଞ୍ଜରେ ୧୨୬୫ ମୋଗାୱାଟ୍, ଓବ୍ରାରେ ୧୦୯୪ ମେଗାୱାଟ୍ ଓ ପରିଛାରେ ୧ ହଜାର ୧୪୦ ମେଗାୱାଟ ଉତ୍ପାଦନ କ୍ଷମତାର ଥର୍ମାଲ ପାୱାର ପ୍ଲାଣ୍ଟ ରହିଛି। ଏଣୁ ଏହି ସବୁ ପାୱାର ପ୍ଲାଣ୍ଟଙ୍କ ଲାଗି ୨୬ ଦିନ ଲାଗି ଆଗୁଆ କୋଇଲା ଷ୍ଟକ୍ କରାଯିବା ଦରକାର ଥିଲେବି ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବ ହୋଇପାରୁ ନାହିଁ।

ଅନପରା ପାୱାର ପ୍ଲାଣ୍ଟ ଲାଗି ୫ ଲକ୍ଷ ୯୬ ହଜାର ୭୦୦ ଟନ କୋଇଲା ଷ୍ଟକ ହେବା କଥାସ ଏଠାରେ ଏବେ ୩ଲକ୍ଷ ୨୮ ହଜାର ୧୦୦ ଟନ କୋଇଲା ଗଚ୍ଛିତ ଅଛି। ସେହିପରି ହରଦୁଆଗଞ୍ଜ ଲାଗି ୪ ଲକ୍ଷ ୯୭ ହଜାର ଟନ୍ ସ୍ଥାନରେ ମାତ୍ର ୬୫ ହଜାର ୭୦୦ ଟନ, ଓବ୍ରାରେ ୪ଲକ୍ଷ ୪୫ ହଜାର ୮୦୦ ଟନ ସ୍ଥାନରେ ୧ ଲକ୍ଷ ୫୦୦ ଟନ କୋଇଲା ଷ୍ଟକ୍ ଅଛି। ପରିଛାରେ ୪ଲକ୍ଷ ୩୦ ହଜାର ୮୦୦ ଟନ ସ୍ଥାନରେ ମାତ୍ର ୧୨ ହଜାର ୮୦୦ ଟନ କୋଇଲା ରହିବା ଏବେ ଚିନ୍ତାର କାରଣ ପାଲଟିଛି। ଦେଶରେ ମୋଟ ୧୫୦ଟି ଥର୍ମାଲ ପାୱାର ପ୍ଲାଣ୍ଟ ରହିଛି। ଏଥିରୁ ୮୧ଟି ଘରୋଇ କୋଇଲା ଉପଯୋଗ କରୁଥିବା ବେଳେ ବାକି ଶକ୍ତି ପ୍ରକଳ୍ପଗୁଡିକୁ ସରକାରୀ କୋଇଲା କମ୍ପାନୀମାନେ ଯୋଗାଣ ଦେଉଛନ୍ତି। ସେହିପରି ଘରୋଇ କ୍ଷେତ୍ରର ୫୪ଟି ଶକ୍ତି ପ୍ରକଳ୍ପରୁ ୨୮ଟିର ଅବସ୍ଥା ଏବେ ଚିନ୍ତାଜନକ। କୁହାଯାଉଛି ଏବେ ୟୁପି ନିକଟରେ ମାତ୍ର ୭ ଦିନର ଷ୍ଟକ୍ ବଞ୍ଚିଛି। ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ କମ ବହୁତେ ଏବେ ଏହି ଅବସ୍ଥା। ରେଳବାଇଙ୍କ ରାକ୍ ଅଭାବ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି।


ରେଳବାଇଙ୍କ ନିକଟରେ ଏବେ ମାତ୍ର ୪୧୨ଟି ରାକ୍ ରହିଛି। ଏଣୁ କୋଇଲା ପରିବହନ ବୃଦ୍ଧି ହୋଇ ପାରୁ ନାହିଁ। ଉତ୍ତରପ୍ରଦେଶ ଶକ୍ତିମନ୍ତ୍ରୀ ଏ.କେ. ଶର୍ମା ଅଧିକାରୀଙ୍କ ସହ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଦେଶରେ ବିଦ୍ୟୁତର ଚାହିଦା ବଢୁଥିବାରୁ ସଂକଟ ଯେପରି ଗୁରୁତର ନ ହୁଏ ଏଣୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ କୋଇଲା ଆମଦାନୀ ଉପରେ ଏବେ ବିଚାର କରୁଛନ୍ତି। ଏଥିରେ ୟୁପି ପାୱାର ପ୍ଲାଣ୍ଟ ଲାଗି ବିଦେଶରୁ କୋଇଲା ଆମଦାନୀ କରାଯାଇପାରେ ବୋଲି କୁହାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।