ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ବିରୋଧୀ ମନ୍ତବ୍ୟ ଦେଇ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।ରବିବାର ଦିନ ଗୁଜୁରାଟର ଭାରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ ଦେଇ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ସୁଯୋଗ ଦେବାକୁ କହିଛନ୍ତି। ମୁଁ ଗୁଜୁରାଟର ୬.୫ କୋଟି ଲୋକଙ୍କୁ କହିବାକୁ ଚାହେଁ ଯେ, ଚାଲନ୍ତୁ ମିଳିମିଶି ବିଜେପିର ଅହଂକାର ଭାଙ୍ଗିବା। ଆମକୁ ଗୋଟିଏ ସୁଯୋଗ ଦିଅନ୍ତୁ। ଯଦି ଆପଣ ଆମ ସରକାରକୁ ପସନ୍ଦ କରିବେ ନାହିଁ ବା ସରକାର ଆପଣଙ୍କ ପାଇଁ କାମ କରିବେ ନାହିଁ ତେବେ ପରବର୍ତ୍ତୀ ନିର୍ବାଚନରେ ଆପଣ ମୋତେ କ୍ଷମତାଚ୍ୟୁତ କରିଦେବେ।
ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ ବ୍ୟକ୍ତି ଅଟେ। ଏହି ଲୋକମାନେ ମୋ ବିରୋଧରେ ଅନେକ ଅନୁସନ୍ଧାନ କରିଥିଲେ ବି ଏମାନଙ୍କୁ କିଛି ମିଳିନାହିଁ ବୋଲି କହିଛନ୍ତି କେଜ୍ରିୱାଲ। ସେ ଆହୁରି କହିଛନ୍ତି ଯେ, ଗୁଜୁରାଟରେ ଶୀଘ୍ର ନିର୍ବାଚନ ହେବ ବୋଲି ମୁଁ ଶୁଣିବାକୁ ପାଇଛି। ଆମ୍ ଆଦମୀ ପାର୍ଟିକୁ ବିଜେପି ଡରିଗଲା କି? ସେମାନେ ଆମକୁ ପ୍ରଚାର ପାଇଁ ସମୟ ଦେବାକୁ ଚାହାଁନ୍ତି ନାହିଁ। ସେମାନେ ଜାଣିସାରିଛନ୍ତି ଯେ, ଆମକୁ ଅଧିକ ସମୟ ମିଳିଲେ ଆମେ ନିଶ୍ଚିତ ବିଜେପି ଗଡ଼ରେ ସଂଖ୍ୟାଗରିଷ୍ଠତା ହାସଲ କରିବୁ। କିନ୍ତୁ ଭଗବାନ ଆମ ସହିତ ଅଛନ୍ତି। ତୁମେ ବର୍ତ୍ତମାନ କିମ୍ବା ୬ ମାସ ପରେ ନିର୍ବାଚନ କଲେ ବି ଆମେ ହିଁ ଜିତିବୁ।
