ହୱାନା: କ୍ୟୁବାର ରାଜଧାନୀ ହୱାନାରେ ଘଟିଛି ଏକ ଭୟଙ୍କର ଅଘଟଣ | ହୋଟେଲ ଭିତରେ ବଡ ଧରଣର ବିସ୍ଫୋରଣ ଘଟିଛି । ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ବଡ ଅଘଟଣ ଘଟିଥିବା କୁହାଯାଉଥିବା ବେଳେ, ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି | ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି |

ସେପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ହୋଟେଲଟି ପୂରାପୁରି ଧ୍ୱଂସ ହୋଇଯାଇଛି | ଏଠାକାର ରାଷ୍ଟ୍ରପତି ମିଗେଲ ଡିୟାଜ କନେଲଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି। ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି।

ନ୍ୟଜ୍‌ ଏଜେନ୍ସି ଏପି ମୁତାବକ, ଯେଉଁ ସମୟରେ ଏହି ବିସ୍ଫୋରଣ ଘଟିଥିଲା, ସେତେବେଳେ ହୋଟେଲ ଭିତରେ ମରାମତି କାମ ଚାଲିଥିଲା। ବିସ୍ଫୋରଣର ଭିଡିଓରେ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ହୋଟେଲଟି ପୂରା କ୍ଷତିଗ୍ରସ୍ତ ହୋଇଥିବା ସହ ବିସ୍ଫୋରଣ ଯୋଗୁଁ ପୂରା ପରିବେଶ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖର ବିଲ୍ଡିଂ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ମୁତାବକ ଏହି ଫାଇଭ୍‌ ଷ୍ଟାର୍‌ ହୋଟେଲ ସାରାଟୋଗାରେ ଦୁଇଟି ବାର୍‌, ଦୁଇଟି ରେଷ୍ଟୁରାଣ୍ଟ ଓ ଗୋଟିଏ ପୁଲ୍‌ ଥିଲା। ତେବେ ଏହି ବିସ୍ଫୋରଣ କୌଣସି ପ୍ରକାରର ଆକ୍ରମଣ ନଥିଲା ଏହା ଏକ ଦୁର୍ଘଟଣା ଥିଲା ବୋଲି କ୍ୟୁବାର ରାଷ୍ଟ୍ରପତି କହିଛନ୍ତି।

ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି |