ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ଜିଲ୍ଲାପାଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ମହିଳା ଅଧିକାରୀ । କେବଳ ଏତିକି ନୁହେଁ ବରଂ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି ନ୍ୟାୟ ମାଗିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହି ମହିଳା ଅଧିକାରୀ ଏ ସମ୍ପର୍କରେ ଦୁଇଟି ଟୂଇଟ୍ କରିଛନ୍ତି। ପ୍ରଥମ ଟ୍ବିଟ୍ରେ ସେ ଦର୍ଶାଇଛନ୍ତି; କାର୍ୟ୍ୟକ୍ଷେତ୍ରରେ ନିର୍ୟାତନା ବନ୍ଦହେଉ। ପ୍ରତ୍ୟେକ କର୍ମଚାରୀଙ୍କୁ ସମ୍ମାନର କାମ କରିବାପାଇଁ ସୁଯୋଗଦେବା ଉଚିତ। ଏହି ବ୍ୟକ୍ତିଜଣଙ୍କ ଅହଙ୍କାର ଶୀର୍ଷରେ ପହଞ୍ଚିଥିଲା ମାତ୍ର ଦକ୍ଷତା ପ୍ରଦର୍ଶନ ନକରିବା ଯୋଗୁ ବଦଳିହେବା ପରେ ଦୀପାବଳି ମନାଇବା ହେଉଛି ତାଙ୍କ ପ୍ରତି ଲୋକମାନଙ୍କର ଯଥାର୍ଥ ମନୋଭାବ। ପିଏମ୍ଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପସର୍ନାଲ ଓ ପବ୍ଲିକ ଗ୍ରିଭାନସ୍ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା. ଡା. ସମ୍ବିତ୍ ପାତ୍ରଙ୍କୁ ସେ ଏହି ଟ୍ବିଟ୍ କରିଛନ୍ତି। ଏହି ଟ୍ବିଟ୍ ସହ ସେ ଜିଲ୍ଳାପାଳଙ୍କ ବଦଳି ସଂକ୍ରାନ୍ତୀୟ ପ୍ରକାଶିତ ଖବରକୁ ମଧ୍ୟ ସଂଲଗ୍ନ କରିଛନ୍ତି।
ଏହାର ପରେପରେ ସେ ଆଉ ଏକ ଟ୍ବିଟ୍ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ‘ ଯାହାଙ୍କୁ ଜଣେ ସାଧାରଣ ନାଗରିକ ନ୍ୟାୟ ମାଗିବେ, ଲୋକଙ୍କ ଅଭିଭାଭକ ଭାବେ ନିଯୁକ୍ତ ହୋଇଥିବା ସେହି ଅଧିକାରୀ ବି ଦୁର୍ନୀରେ ସମ୍ପୃକ୍ତ ହୁଅନ୍ତି, ଏବଂ ସେ ଅନୈତିକ କାର୍ୟ୍ୟ(ଅନ୍ଏଥିକାଲ)ରେ ସଂପୃକ୍ତ ହୋଇପାରିବେ। ଏବଂ, ଅନ୍ୟାୟପୂର୍ଣ୍ଣ ଭାବେ ପ୍ରଭାବିତ କରି ସହଜରେ ସବୁ ସ୍ଥିତିକୁ ନିଜ ସପକ୍ଷରେ ଆଣିପାରିବେ। ଦୟାକରି ଏଭଳି ଅଫିସରଙ୍କୁ କ୍ୟାଡରରୁ ବାହାର କରି ଏକ ଦୃଢ଼ ବାର୍ତ୍ତା ଦିଅନ୍ତୁ’ ବୋଲି ସେ ଟ୍ବିଟ୍ରେ ନିବେଦନ କରିଛନ୍ତି। ଏଥିସହିତ, ‘ ରହସ୍ୟରେ ଆଇଏଏସ୍ଙ୍କ ବଦଳି ’ ଶୀର୍ଷକ ଆଉ ଏକ ଖବରକୁ ବି ଟ୍ବିଟ୍ରେ ସଂଲଗ୍ନ କରିଛନ୍ତି। ଏହାକୁ ସେ ମଧ୍ୟ ସେ ପିଏମ୍ଓ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଡ. ସିଂହଙ୍କୁ ଟ୍ବିଟ୍ ମାଧ୍ୟମରେ ଅବଗତ କରିଛନ୍ତି। ତେବେ, ଏହି ମହିଳା ଅଧିକାରୀ ଜଣଙ୍କ ସିଧାସଳଖ କୌଣସି ଅଭିଯୋଗ ଆଣିନଥିଲେ ମଧ୍ୟ ତତ୍କାଳୀନ ଜିଲ୍ଲାପାଳଙ୍କ କାର୍ୟ୍ୟକଳାପ ପ୍ରତି ପରୋକ୍ଷରେ ଇଙ୍ଗିତ କରିଥିବା ଟ୍ବିଟ୍ରୁ ସ୍ପଷ୍ଟ ଜଣାପଡ଼ିଛି। ଉଚ୍ଚଶିକ୍ଷା ପାଇଁ ବିଦେଶରେ ଥିବା ଏହି ମହିଳା ଅଧିକାରୀ ଜଣକ ସମ୍ଭବତଃ ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ନମିଳିବା ପରେଏବେ କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଥିବା ଅନୁମାନ କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
