ପାଟନା: ଆଜି ବି ସମାଜରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଦେଖା ଦେଉଛି ଘୃଣ୍ୟ ଭାବନା । ସର୍ବୋଚ୍ଚ ନ୍ୟାୟାଳୟର ସମଲିଙ୍ଗି ସଂପର୍କକୁ ସ୍ବିକୃତୀ ଦେବା ପରେ ମଧ୍ୟ ଏହି ସମାଜ କିନ୍ତୁ ତାହାକୁ ଗ୍ରହଣ କରି ପାରୁନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନାରେ ।
ଦୁଇ ଯୁବତୀଙ୍କ ପ୍ରେମ ସମ୍ପର୍କକୁ ଉଭୟ ପରିବାରର ବିରୋଧ ପରେ ଉଭୟ ଥାନାର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିବା ଘଟଣା ସାମ୍ନାକୁ ଆସିଛି । ମହିଳା ଥାନାରେ ଅଭିଯୋଗ କରି ନିରାଶ ହେବା ପରେ ଦୁଇ ଯୁବତୀ ଗତ 7 ତାରିଖରେ ପାଟନା ଏସଏସପି ମନଜିତ ସିଂ ଧିଲୋନଙ୍କ ନିକଟରେ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।
ସୂଚନା ଅନୁସାରେ, ବିହାରର ଇନ୍ଦ୍ରପୁରୀ ବାସିନ୍ଦା ତାନିସ୍କ ଶ୍ରୀ ଓ ସହରସାର ବାସିନ୍ଦା ଶ୍ରୀୟା ଘୋଷ ନାମକ ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ସେମାନେ ଏକାଠି ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏ ସମ୍ପର୍କରେ ଜଣାପଡିବା ପରେ ଉଭୟ ପରିବାର ଏହାକୁ ବିରୋଧ କରିଥିଲେ । ତାନିସ୍କ ଶ୍ରୀଙ୍କ ପରିବାର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ତାଙ୍କ ଠାରୁ ମୋବାଇଲ ଛଡାଇ ନେବା ସହ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଥିଲେ ତାନିସ୍କଶ୍ରୀ ।ପରେ ତାନିସ୍କଶ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ପାଟଳିପୂତ୍ରରେ ଥାନାରେ ଅଭିଯୋଗ ତାନିସ୍କଙ୍କ ସାଥୀ ଯୁବତୀଙ୍କ ପରିବାର । ଘଟଣା ପରେ ଉଭୟ ଯୁବତୀ ନ୍ୟାୟ ପାଇଁ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ପୋଲିସ ଠାରୁ ସହଯୋଗ ପାଇନଥିବା ଅଭିଯୋଗ କରିଥିଲେ ।
ସେପଟେ ଏହି ଘଟଣା ସଂପର୍କ ରେ ଏସଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସ୍ଥାନୀୟ ଥାନାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସଏସପି ମନଜିତ ସିଂ ଧିଲୋନ। ଉଭୟ ପରିବାର ସହ ପୋଲିସ ଆଲୋଚନା ପାଇଁ ପ୍ରୟାସ କରୁଛି ।
