ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ଏବେ ଉତ୍ତର କୋରିଆରେ ଭୟଙ୍କର ସ୍ଥିତି ଉତ୍ପଣ କରିଛି | ଜୋରି ପଜିଟିଭ କହିଆସୁଥିବା ଉତ୍ତର କୋରିଆରେ ଏବେ କରୋନା ଭୟଙ୍କର ରୂପ ଦେଖାଇଛି | ୩ ଦିନ ମଧ୍ୟରେ ଉତ୍ତର କୋରିଆରେ ସମୁଦାୟ ୮୨୦, ୬୨୦ଜଣ କୋଭିଡ୍‌-୧୯ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨୪,୫୫୦ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏଏନ୍‌’ ରିପୋର୍ଟ କରିଛି।

ସମ୍ପ୍ରତି ଉତ୍ତର କୋରିଆରେ ବ୍ୟାପିଥିବା ଅଜଣା ଜ୍ବରରେ ପୀଡ଼ିତ ହେବା ସହ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତି ମରିବା ପରେ ଆଜି ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କଥା ଉତ୍ତର କୋରିଆ ରିପୋର୍ଟ କରିଛି।

କୋଭିଡ୍‌ ସଂକ୍ରମଣ ଦେଶରେ ମହା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ବୋଲି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ କହିଛନ୍ତି।

‘କେସିଏନ୍‌ଏ’ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ, ଦେଶର ସମସ୍ତ ପ୍ରଦେଶ, ସହର ଓ କାଉଣ୍ଟିରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ‘ୱାର୍କିଙ୍ଗ୍‌ ୟୁନିଟ୍‌’, ‘ପ୍ରଡକ୍ସନ୍‌ ୟୁନିଟ୍‌’ ଏବଂ ‘ରେସିଡେନ୍‌ସିଆଲ୍‌ ୟୁନିଟ୍‌’ଗୁଡ଼ିକ ପରସ୍ପରଠାରୁ ପୃଥକ୍‌ ହୋଇ କାର୍ଯ୍ୟ କରୁଛନ୍ତି।

ଟିକାକରଣ ହୋଇ ନ ଥିବା ଦେଶରେ କୋଭିଡ୍‌ ସଂକ୍ରମଣ ମନ୍ଥର କରିବା ଲାଗି କଠୋର ଜରୁରୀକାଳୀନ କ୍ବାରେଣ୍ଟିନ୍‌ ବ୍ୟବସ୍ଥା ଲାଗୁ କରାଯାଇ ସୁଦ୍ଧା ଦୈନିକ ବହୁସଂଖ୍ୟକ ସଂକ୍ରମିତ ବାହାରୁଛନ୍ତି।

ଦେଶବ୍ୟାପୀ କଠୋର ଲକ୍‌ଡାଉନ୍‌ ଘୋଷିତ ହୋଇଥିଲେ ବି ଗୁରୁବାର ଦିନ ଉତ୍ତର କୋରିଆର ପିୟୋଙ୍ଗ୍ୟାଙ୍ଗ୍‌ରେ ଦ୍ରୁତ ସଂକ୍ରମଣ କରାଉଥିବା ଓମିକ୍ରନ୍‌ ଭେରିଆଣ୍ଟ୍‌ ଚିହ୍ନଟ ହୋଇଛି।