କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା; ଦଳରେ ଯୁବକଙ୍କୁ ମିଳିବ ୫୦% ସଂରକ୍ଷଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଟିଏ ପରେ ଗୋଟିଏ ରାଜ୍ୟରୁ କଂଗ୍ରେସର ପରାଜୟ ପରେ ଦଳ ବର୍ତ୍ତମାନ ପୂର୍ବପରି ସୁଦୃଢ଼ ହେବାର ଲକ୍ଷ୍ୟରେ ରହିଛି । ଏହା ମଧ୍ୟରେ ରାଜସ୍ଥାନର ଜୟପୁରରେ କଂଗ୍ରେସ ତିନି ଦିନ୍ରିା ଚିନ୍ତନ ଶିବିର ଆୟୋଜନ କରିଛି । ଯେପରି ପରାଜୟ ପୁନରାବ୍ୟତ୍ତି ନହୁଏ ସେଥିଲାଗି ସାଙ୍ଗଠନିକ ସ୍ତରରେ ପୁନର୍ବିନ୍ୟାସ ଲାଗି ସ୍ଥିର କରାଯାଇଛି । ତେବେ ଚିନ୍ତନ ଶିବିରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ୫୦ ବର୍ଷରୁ କମ ବୟସର ଯୁବକମାନଙ୍କ ପାଇଁ ସଙ୍ଗଠନର ସବୁ ସ୍ତରରେ ୫୦ ଭାଗ ପଦ ସଂରକ୍ଷିତ ରଖାଯିବ । ସେହିଭଳି ତଫସିଲଭୁକ୍ତ ଜାତି, ଉପଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ଲାଗି ମଧ୍ୟ ୫୦ ଭାଗ ସଂରକ୍ଷିତ ରହିବ । ରାଜନୈତିକ ବ୍ୟାପାର ଉପରେ ବିଚାରବିମର୍ଶ ଲାଗି ଏକ ଉପଦେଷ୍ଟା କମିଟି ଗଠିତ ହେବ । କଂଗ୍ରେସ କାର୍ଯ୍ୟକାରିଣୀର କିଛି ସଭ୍ୟଙ୍କୁ ଏହି କମିଟିରେ ରଖାଯିବ । ସେପଟେ ରାହୁଲ ଗାନ୍ଧୀ ଆସନ୍ତା ଏକ ବର୍ଷ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରିବେ ।

ଏହାର ନାମ ଭାରତ ଯୋଡୋ ଯାତ୍ରା ରଖାଯାଇଛି । ପ୍ରତି ରାଜ୍ୟର କଂଗ୍ରେସ ନେତାମାନେ ନିଜ ନିଜ ରାଜ୍ୟରେ ଏହି ପଦଯାତ୍ରାରେ ଯୋଗ ଦେବେ । ଦରବୃଦ୍ଧି ଓ ବେକାରୀ ସମସ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଭୋଗୁଥିବା ସମସ୍ୟା ଉପରେ ମଧ୍ୟ ଏହି ଯାତ୍ରା ଅବସରରେ ସଚେତନତା ସୃଷ୍ଟି କରାଯିବ ଏବଂ ବିଜେପି ସରକାର ବିରୋଧରେ ଜନମତ ତିଆରି କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଆସନ୍ତା ଅକ୍ଟୋବର ମାସରେ ଏହି ଯାତ୍ରା ଆରମ୍ଭ ହେବ । ଅନ୍ୟପଟେ ବିଦ୍ରୋହୀଙ୍କ ଦାବି ମୁତାବକ କଂଗ୍ରେସ ଇଲେକ୍ସନ କମିଟି ବଦଳରେ ଏକ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବକୁ ଆଗ୍ରାହ୍ୟ କରାଯାଇଛି । ବର୍ତ୍ତମାନ ଲୋକସଭା ଓ ବିଧାନସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବ ତାହା କଂଗ୍ରେସ ଇଲେକ୍ସନ କମିଟି ସ୍ଥିର କରୁଛି । ଏହା ସ୍ଥାନରେ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବକୁ ଗାନ୍ଧି ପରିବାର ଅନୁଗତମାନେ ବିରୋଧ କରିଥିଲେ । ଏହାକୁ ନେଇ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ଦଳ କ୍ଷମତାକୁ ଆସିଲେ ଇଲେକ୍ଟ୍ରୋନିକ ଭୋଟିଂ ମେସିନକୁ ହଟାଇ ପୁନଃ ବାଲାଟ ପେପର ବ୍ୟବସ୍ଥା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

Related Posts