ବିଜେପିର ମିଶନ ଓଡ଼ିଶା; ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ କେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ ସେନେଇ ତଥ୍ୟ ମାଗିଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ମିଶନ ଓଡ଼ିଶା । କାହିଁକିନା ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହାର ଠିକ୍ ଦୁଇ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଚିଠି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। ଏହି ପ୍ରସଙ୍ଗରୁ ହିଁ ବିଜେପି ୨୦୨୪ରେ ଓଡ଼ିଶା ଦଖଲ ପାଇଁ ଅଭିଯାନ କରିପାରେ ବୋଲି କୁହାଯାଉଛି। ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର କେଉଁ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ କି ଶିଳାନ୍ୟାସ କରିବେ ତା’ର ତାଲିକା ଦିଅ। ଗତ ମାସ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏପରି ଏକ ଚିଠି ଆସିଛି ରାଜ୍ୟ ଜଳସଂପଦ ବିଭାଗକୁ। ଏପ୍ରିଲ ୨୫ରେ ଏହି ଚିଠି ଆସିଥିବା ବେଳେ ଏପ୍ରିଲ ୨୬ତାରିଖରେ ରିପୋର୍ଟ ଦେବାକୁ କୁହାଯାଇଥିଲା। କେନ୍ଦ୍ର ପକ୍ଷରୁ ପ୍ରଥମ ଥର ଲାଗି ଆସିଥିବା ଏଭଳି ପତ୍ରକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ (ପିଏମ୍ଓ) ପାଇଁ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ଏଭଳି ରିପୋର୍ଟ ମଗାଯାଇଥିବା କୁହାଯାଉଛି। ଏହାକୁ ନେଇ ଜଳ ସମ୍ପଦ ବିଭାଗର ହୋସ୍ ଉଡ଼ିଯାଇଛି। ଏହି ଚିଠିର ଉତ୍ତର ତୁରନ୍ତ ଦେବାକୁ କୁହାଯାଇଥିଲେ ବି ବିଭାଗୀୟ ଅଧିକାରୀମାନେ ଚୁପ୍ ବସିଛନ୍ତି। ସେପଟେ ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟରେ କିଛି ବଡ଼ ଡ୍ୟାମ୍, ବ୍ୟାରେଜ୍ କେନ୍ଦ୍ର ସରକାରଙ୍କ ସହାୟତାରେ ନିର୍ମାଣ ହେଉଛି।

ସୁବର୍ଣ୍ଣରେଖା, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଭଳି ବଡ଼ ପ୍ରକଳ୍ପରେ କେନ୍ଦ୍ର ସରକାର ୩୦ରୁ ୪୦% ଅନୁଦାନ ଦେଉଥିବା ବେଳେ ପ୍ରକଳ୍ପ ବିଳମ୍ବ ହେବା ସହ ଖର୍ଚ୍ଚ ଅଟକଳ ବଢ଼ି ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ୁଛି। ତେଣୁ କେନ୍ଦ୍ର ସରକାର କେତେ ଅର୍ଥ ଦେଲେଣି, କେତେ କାମ ହେଲାଣି ତା’ର ହିସାବ ନେଇ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ପ୍ରଶ୍ନ ଉଠାଇ ପାରନ୍ତି। । ଏହାବାଦ୍ ଅନେକ ପ୍ରକଳ୍ପ ଆଗେଇ ପାରୁନଥିବାରୁ ସରକାର ଏହାର ରିପୋର୍ଟ ଦେବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏନେଇ କେହି ମୁହଁ ଖୋଲୁନାହାନ୍ତି। ପୂର୍ବରୁ କେବେବି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟକ୍ରମ ପାଇଁ ଏହିଭଳି ପ୍ରକଳ୍ପ ତାଲିକା ମଗାଯାଇନଥିବାରୁ କେନ୍ଦ୍ର ସରକାର ଓଡ଼ିଶା ନେଇ କିଛି ଏଜେଣ୍ଡା ରହିଥିବା ଅନୁମାନ କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts