ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଏସଆଇ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେଲା ଏମାର ମଠ ଖନନସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତି । ଏସ୍‌ଆଇର ସଂରକ୍ଷଣ ଅଧିକାରୀ ଜିତେନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ସିଂହଦ୍ବାର ଥାନା ପୁଲିସ୍ ସହ‌ଯୋଗରେ ଦୁଇ ସିଂହମୂର୍ତ୍ତିକୁ ଟ୍ରାକ୍ଟର ଯୋଗେ ଏମାର ମଠରୁ ନିଆଯାଇଥିଲା। ମୂର୍ତ୍ତି ଉଠାଯିବା ପୂର୍ବରୁ ଘଟଣାସ୍ଥଳରେ ଏହାକୁ ବିରୋଧ କରାଯାଇଥିଲା। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର‌୍ୟ୍ୟନାରାୟଣ ରଥ ମୂର୍ତ୍ତି ଉପରେ ବସି ରହି ମୂର୍ତ୍ତିକୁ ନନେବାକୁ ଅଡ଼ି ବସିଥିଲେ। ତାଙ୍କ ଯୁକ୍ତି ଥିଲା, ପୂର୍ବରୁ ବହୁ ପ୍ରାଚୀନ ମୂର୍ତ୍ତିର ଅଂଶବିଶେଷ ଖନନରୁ ବାହାରିଥିଲେ ମଧ୍ୟ ଏହାକୁ ପୁରୀ ମଧ୍ୟରେ ରଖାଯାଇନାହିଁ।

ତେଣୁ ଅନ୍ତତଃ ଏହି ପ୍ରାଚୀନ କୀର୍ତ୍ତିରାଜିର ଅଂଶବିଶେଷକୁ ଏଇଠାରେ ସଂରକ୍ଷଣ କରି ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ। ବିନା ଜିପିଆର୍‌ଏସ୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ) ରେ ଖନନ କରାଯାଉଥିବାରୁ ପ୍ରାଚୀନ କୀର୍ତ୍ତିରାଜି ମାଟି ତଳେ ଅସୁରକ୍ଷିତ ହୋଇପଡ଼ିଛି। ତେଣୁ ମନ୍ଦିର ସଂଲଗ୍ନ ୧୦୦ ମିଟର ନିଷେଧାଞ୍ଚଳରେ ଜିପିଆର୍‌ଏସ୍ କରାଯାଇ ଐତିହ୍ୟ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ପାଇଁ ଦାବି ହୋଇଛି।