ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼ ଘଟଣା; ମାଡ଼ ମାରିଥିବା ହାବିଲଦାରଙ୍କୁ ନିଲମ୍ବିତ କଲେ ପୁରୀ ଏସ୍‌ପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହବିଷିଆଳିଙ୍କୁ ମାଡ଼ ମାରିଥିବା ହାବିଲଦାର ନିଲମ୍ବିତ ହୋଇଛନ୍ତି। ଏହାସହିତ ଜଣେ ଡିଏସ୍‌ପିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି ପୁରୀ ଏସ୍‌ପି କେ. ବିଶାଲ ସିଂହ ସୂଚନା ଦେଇଛନ୍ତି । ଏହି ଘଟଣାକୁ ଗୁରୁତର ନେବା ସହ ଆହତ ମହିଳାଙ୍କୁ ହସ୍‌ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏସ୍‌ପି।

ସୂଚନା ଅନୁସାରେ, ଆଜ ସକାଳେ ଶ୍ରୀମନ୍ଦିର ଜଗମୋହନ ଭିତରେ ଜଣେ ହବିଷ୍ୟାଳିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମନ୍ଦିର ପରିସରରେ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ମାଡରେ ମହିଳା ଭକ୍ତଙ୍କ ମୁଣ୍ଡ ଫାଟିଥିବା ଜଣାପଡିଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଗୁରୁତର ହବିଷ୍ୟାଳି ଜଣକଙ୍କ ପରିଚୟ ମିଳିଥିବା ବେଳେ ସେ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ। ଏହି ଘଟଣା ସଂପର୍କରେ ଖବର ପାଇ ପୁରୀ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଥିବା ବେଳେ କେଉଁ କାରଣରୁ ମହିଳାଙ୍କୁ ସେ ମାଡ଼ ମାରିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related Posts