ଗରିବଙ୍କୁ ଜେଲ ଯନ୍ତ୍ରଣା; ଜାମିନ ପାଇ ମଧ୍ୟ ଜେଲରେ ଶଢ଼ୁଛନ୍ତି ୨୯୦ ବନ୍ଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗରିବଙ୍କୁ ଜେଲ ଯନ୍ତ୍ରଣା । ତେବେ ଜାମିନଦାର ଏବଂ ସିକ୍ୟୁରିଟି ଜମା ଦାଖଲ କରିପାରୁ ନଥିବାରୁ ଜାମିନ ପାଇ ବି ଜେଲରୁ ମୁକୁଳି ପାରୁନାହାନ୍ତି ୨୩୯ ଜଣ କଏଦୀ । ରାଜ୍ୟର ବିଭିନ୍ନ ଜେଲରେ ଏବେ ସେମାନେ ମୁକୁଳିବା ଅପେକ୍ଷାରେ ରହିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ଜେଲରେ ମୋଟ ୫୦୨ ବିଚରାଧୀନ କଏଦୀଙ୍କ ଜାମିନ ୟୁଟିଆରସିରେ ବିଚାର କରାଯାଇ ସେମାନଙ୍କ ମଧ୍ୟରୁ ୪୭୮ ଜଣଙ୍କ ଜାମିନ ମଞ୍ଜୁର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୮୮ ଜଣ ଜେଲରୁ ଖଲାସ ହୋଇଥିବାବେଳେ ୨୯୦ ଜଣ କଏଦୀ ଏବେ ବି ଜେଲରେ ଅଛନ୍ତି । ସେହି ୨୯୦ ଜଣଙ୍କ ମଧ୍ୟରୁ ୨୩୯ ଜଣ କେବଳ ବେଲବଣ୍ଡ, ଜାମିନଦାର ଯୋଗାଡ଼ କରିପାରୁନଥିବାରୁ ଜେଲରେ ଶଢ଼ୁଛନ୍ତି । ଅଦାଲତର ସତ୍ତ୍ୱ ଅନୁଯାୟୀ ଆର୍ଥିକ ଦୁର୍ବଳ ବର୍ଗର ଏହି କଏଦୀମାନେ ଜାମିନଦାର ଅଥବା ସିକ୍ୟୁରିଟି ଜମା ଅର୍ଥ ଯୋଗାଡ଼ କରିପାରୁନାହାନ୍ତି । ତେଣୁ ଜେଲରୁ ମୁକୁଳିବା ବାଟ ସେମାନଙ୍କ ପାଇଁ ବନ୍ଦ ହୋଇ ରହିଛି । ଅନ୍ୟ କାରଣୁ ୫୧ ଜଣ କଏଦୀ ଜାମିନ ପାଇ ମଧ୍ୟ ଜେଲରୁ ମୁକୁଳି ପାରୁ ନାହାନ୍ତି । ଅନ୍ୟପଟେ ରାଜ୍ୟ ବିଭାଗର ତଥ୍ୟ ଅନୁଯାୟୀ ଏପ୍ରିଲ ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଭିନ୍ନ ଜେଲରେ ମୋଟ କ୍ଷମତା ୨୧ ହଜାର ୫୧୫ ଥିବାବେଳେ ୧୯ ହଜାର ୯୫୯ ଜଣ କଏଦୀ ଅଛନ୍ତି । କିନ୍ତୁ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର, କାମାକ୍ଷାନଗର ଉପକାରାଗାର, ବାଲିଗୁଡ଼ା ଉପ କାରାଗାର, ଯାଜପୁର ଉପକାରାଗାର, ମାଲକାନଗିରି ଫୁଲବାଣୀ ଇତ୍ୟାଦି ଭଳି ଜେଲରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି ।

କ୍ଷମତାଠାରୁ ଦୁଇ ଗୁଣା ଅଧିକ କଏଦୀ ଏହି ଜେଲରେ ଅଛନ୍ତି । ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏ ଜିଲ୍ଲା ସ୍ତରରେ ଥିବା ଆଇନସେବା ପ୍ରାଧିକରଣ ପକ୍ଷରୁ ୟୁଟିଆରସି ମିଟିଂ ଅନୁଷ୍ଠିତ ହୋଇଥିଲା । ଏହି କମିଟିରେ ଜାମିନ ଯୋଗ୍ୟ ଦଫା ଅର୍ଥାତ ସିଆରପିସିର ଧାରା ୪୩୬ଏ ରେ ୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ଖଲାସ ହୋଇଥିବାବେଳେ ଜଣେ ଜେଲରେ ଅଛନ୍ତି । ସେହିପରି ୪୨୦ ଜଣ ବିଚରାଧୀନ କଏଦୀଙ୍କ ମଧ୍ୟରୁ ୩୯୮ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୧୫୯ ଜଣ ଜାମିନରେ ଖଲାସ ହୋଇଥିବାବେଳେ ଆହୁରି ୨୩୯ ଜଣ କଏଦୀ ମୁକୁଳିପାରି ନାହାନ୍ତି । ନିର୍ଦ୍ଦିଷ୍ଟ ଭାବରେ ଏହି କଏଦୀମାନଙ୍କ ଆର୍ଥିକ ସ୍ଥିତି ଠିକ ନଥିବାରୁ ଏମାନେ ବେଲ ବଣ୍ଡ ଦେଇ ନପାରି ଜେଲରେ ଶଢ଼ୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts