ଅଶାନ୍ତ ଆମେରିକାରେ ପୁଣି ଫୁଟିଲା ଗୁଳି: ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାରେ ଦିନକୁ ଦିନ ହିଂସା କାଣ୍ଡ ବଢିବାକୁ ଲାଗୁଛି | ଅଶାନ୍ତ ହୋଇପଡିଛି ଆମେରିକା | ଗତ କିଛି ଦିନ ହେବ ଆମେରିକାରେ ଗୁଳିମାଡ ଘଟଣା ବଢୁଥିବା ବେଳେ, ବୁଧବାର ଓକଲାହୋମାର ଟୁଲସାରେ ଏକ ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ଘଟିଛି ।

ଏହି ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ପ୍ରଥମେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା ।

ସୂଚନାନୁସାରେ, ଓକଲାହୋମାର ଟୁଲସାରେ ଥିବା ଏକ ହସ୍ପିଟାଲର ବିଲଡିଂରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜକୁ ମଧ୍ୟ ଗୁଳିକରିଦେଇଥିଲା ଆତତାୟୀ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଜଣକ ଗୁଳିମାଡ କରିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମରେ ମଧ୍ୟ ସହାୟତା ନିଆଯାଇଛି |

ସୂଚନାଯୋଗ୍ୟ. କିଛିଦିନ ପୂର୍ବରୁ ଆମେରିକାର ଟେକ୍ସାସ୍‌ରେ ଭୀଷଣ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ୧୯ଜଣ ସ୍କୁଲ ପିଲାଙ୍କ ସମେତ ମୋଟ ୨୩ଜଣଙ୍କ ମୃତ୍ୟୁ ଘଟିଥିଲା |

Related Posts