ଭୁବନେଶ୍ୱର : କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ | ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ | ତେବେ ଏନେଇ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୫ ମିନିଟରେ ବିକ୍ରି ହୋଇଯାଇଛି ୫ ହଜାର ଟିକେଟ୍ ।
ତେବେ ଟିକେଟ ବିକ୍ରି ପୂର୍ବରୁ କିଛି ସମସ୍ୟା ଦେଖା ଦେଇଥିଲା | ଘଣ୍ଟା ଘଣ୍ଟା କାଳ କମ୍ପ୍ୟୁଟର ଓ ମୋବାଇଲ ଧରି ବସି ରହିବା ପରେ ବି ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଅର୍ଥାତ ଦିନ ୨ଟାରେ ୱେବସାଇଟ୍ ଓ ଆପ ଖୋଲିଥିଲା । ହେଲେ ଲୋକେ ଟିକେଟ କାଟିଲା ବେଳକୁ ସରି ଯାଇଥିଲା ଟିକେଟ୍ । ମାତ୍ର ୫ ମିନିଟରେ ଗ୍ୟାଲେରି ଟିକେଟ ଶେଷ ହୋଇଗଲା । ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଟିକେଟ ପାଇଁ ରାଜ୍ୟର ଲକ୍ଷ ଲକ୍ଷ କ୍ରୀଡାପ୍ରେମୀ ହଟହଟା ହୋଇଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ମ୍ୟାଚ ଟିକେଟ୍ ।
ଜଣକା ସର୍ବାଧିକ ୨ଟି ଲେଖାଏଁ ଟିକେଟ ଅନଲାଇନରେ କରିପାରିବେ ବୋଲି ନିୟମ ଥିବାବେଳେ ଏକାଧିକ ଟିକେଟ କାଟି କିଛି ଯୁବକ ଟ୍ୱିଟର ଓ ହ୍ୱାଟ୍ସଆପରେ ବିକ୍ରି କରିବା ପାଇଁ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପ୍ରକୃତରେ ଏହା ବୈଧ ଟିକେଟ କି ନାହିଁ ଜଣାନାହିଁ । କିଛି ମନ୍ଦ ଉଦ୍ଦେଶ୍ୟ ରଖି ଫ୍ରଡ କରିବା ଉଦ୍ଦେଶ୍ୟରେ ମଧ୍ୟ ଏଭଳି କରୁଥାଇ ପାରନ୍ତି ଅସାଧୁ ବ୍ୟକ୍ତି । ତେଣୁ ଏଭଳି ପୋଷ୍ଟର ତଦନ୍ତ କରି ସୋସିଆଲ ମିଡିଆରେ ଏଭଳି ଟିକେଟ ବିକ୍ରିକୁ ରୋକାଯିବା ଉଚିତ୍ ।





