ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ: ଲେଜର ସୋ’, ଆତସବାଜିରେ ଚମକିବ ବାରବାଟୀ ଷ୍ଟାଡିୟମ, ଯୋଗ ଦେବେ ବଲିଉଡ୍ ଷ୍ଟାର

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୧ରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଲାଗି ଗୁରୁବାର ପୁଣି ଏକ ପ୍ରସ୍ତୁତି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ । ଲେଜର ସୋ’ ଓ ଆତସବାଜି ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।କାର୍ଯ୍ୟକ୍ରମରେ ବହୁ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ସେଥିପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ନିର୍ମାଣ ହେବ ହେଲିପ୍ୟାଡ୍‌ ।

କଟକ ସହରକୁ ଅଧିକ ସୁନ୍ଦର କରିବା ପାଇଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସହ ହକି ଥିମ୍‌କୁ ଭିତ୍ତି କରି ଚିତ୍ରକଳା ପେଣ୍ଟିଂ ଆରମ୍ଭ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହ ଏହି ଉତ୍ସବ ଯେପରି ପାଳନ ହେବ ସେଥିପାଇଁ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣାଙ୍କ ସମେତ ଡିସିପି ପିନାକ ମିଶ୍ର, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଅନେକ ଥର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ନିକଟରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୁରୁବାରର ବୈଠକରେ ରାସ୍ତା, ପରିମଳ, ପାନୀୟ ଜଳ ଓ ସୁରକ୍ଷା ବନ୍ଦୋବସ୍ତ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବଲିଉଡ୍‌ର ଏକାଧିକ ସେଲିବ୍ରେଟି ଓ ପ୍ରାୟ ୩ ହଜାର ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ଦୃଢ଼ପରିକର ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଛି ।

ଭିଆଇପିମାନଙ୍କର ସୁବିଧାଜନକ ଗମନା ଗମନ ପାଇଁ ନିର୍ଦ୍ଦିଷ୍ଟ ରାସ୍ତାର ମରାମତି କାର୍ଯ୍ୟ ୫ ତାରିଖ ପୂର୍ବରୁ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପାନୀୟ ଜଳ ଯୋଗାଣ ପାଇଁ ଏକାଧିକ ଟ୍ୟାଙ୍କର ପାଣି ବ୍ୟବସ୍ଥା ସହ ଷ୍ଟାଡିୟମ ଭିତରେ ସିନ୍‌ଟେକ୍ସ ଟାଙ୍କି ସ୍ଥାପନ କରିବା ପାଇଁ ୱାଟ୍‌କୋର ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବନ୍ଦୋବସ୍ତକୁ ଅଧିକ କଡାକଡି କରିବା ଲାଗି ବ୍ୟାରିକେଡ୍‌ ନିର୍ମାଣ ସହ ପୁଲିସ ବନ୍ଦୋବସ୍ତ କରିବାକୁ ପୁଲିସ ବିଭାଗକୁ କୁହାଯାଇଛି । ଭିତରପଟ ବ୍ୟାରିକେଡ୍‌ ଓସିଏ ପକ୍ଷରୁ ନିର୍ମାଣ ହେବାକୁ ଥିଲା ବେଳେ ବାହାର ପଟ ବ୍ୟାରିକେଡ୍‌କୁ ପୂର୍ତ୍ତ ବିଭାଗ ନିର୍ମାଣ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଷ୍ଟାଡିୟମ ଭିତରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ ଓସିଏକୁ ଦାୟିତ୍ୱ ଦିଆଯାଇଛି । ଷ୍ଟାଡିୟମ ଭିତରେ ଥିବା ସମସ୍ତ ଶୌଚାଳୟକୁ ସଫା ସୁତୁରା କରିବା ସହ ଏୟାର କଣ୍ଡିସନ୍‌ ଗୁଡିକୁ ଆସନ୍ତା ୨୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ସଂସ୍ଥାକୁ ଷ୍ଟେଜ୍‌ ଓ ବସିବା ବ୍ୟବସ୍ଥା ଧାର୍ଯ୍ୟ ସମୟରେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ଓସିଏ ସଂପାଦକ ସଂଜୟ ବେହେରା, ପୂର୍ତ୍ତ ବିଭାଗର ଯନ୍ତ୍ରୀ, ୱାଟକୋର ପରିଚାଳକ, ବିଦ୍ୟୁତ ଓ ପାନୀୟ ଜଳଯୋଗାଣ ଅଧିକାରୀଙ୍କ ସମେତ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related Posts