କାନପୁର : କାନପୁର ହିଂସାକାଣ୍ଡବି ଘଟଣାକୁ ନେଇ ଆକ୍ସନରେ ଉତ୍ତରପ୍ରଦେଶ ପୋଲିସ | ପୋଷ୍ଟର ଜାରି କରି ପୋଲିସ ଆନ୍ଦୋଳନକାରୀ ମାନଙ୍କୁ ଚିହ୍ନଟ କରିଛନ୍ତି | ଏଥିସହ ହିଂସାକାଣ୍ଡ ଭିଡିଓରୁ ଫଟୋ ବାହାର କରି ପୋଷ୍ଟର ପ୍ରସ୍ତୁତ କରିଛି ପୋଲିସ | ପୋଷ୍ଟର ବାହାରିବା ପରେ ଏବେ ଜନନଙ୍କ ପରେ ଜଣେ ଆନ୍ଦୋଳନକାରୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି | ଏଥିରେ ଜଣେ ୧୬ ବର୍ଷ ବୟସ୍କ ନାବାଳକ କର୍ଣ୍ଣେଲ ଗଞ୍ଜ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି। ପୋଲିସ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଗିରଫ କରାଗଲାଣି। ନିର୍ଦ୍ଦୋଷ ଲୋକଙ୍କୁ ଯେପରି ସମସ୍ୟା ନ ହୁଏ ସେଥିଲାଗି ପୋଲିସ କଡ଼ା ସତର୍କତା ଅବଲମ୍ବନ କରୁଛି।
ଘଟଣାକୁ ନେଇ କାନପୁରରେ ୩ଟି ଏତଲା ରୁଜୁ ହୋଇଛି। ଲୋକେ ଏବେବି ଫେସବୁକ, ଟ୍ୱିଟର ଆଦି ସୋସିଆଲ ମିଡିଆରେ ଉତ୍ତେଜକ ସାମଗ୍ରୀ ପୋଷ୍ଟ କରୁଛନ୍ତି। ମାମଲାର ପୋଲିସ ସଂଜ୍ଞାନ ନେଇଥିବା ବେଳେ ଏପରି ସାମଗ୍ରୀ ପୋଷ୍ଟିଂ କରୁଥିବା ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। ଯେଉଁମାନେ ଅପପ୍ରଚାର ଚଳାଇଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି। ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ ଲାଗି ଏପର୍ଯ୍ୟନ୍ତ ୨୩ଟି ମାମଲା ରୁଜୁ ହୋଇଛି।
ଦିନକ ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସ ୪୦ ଜଣଙ୍କ ପୋଷ୍ଟର ଜାରି କରିଥିଲା। ଗତ ସପ୍ତାହରେ କାନପୁରରେ ହୋଇଥିବା ହିଂସାରେ ଏମାନଙ୍କ ସମ୍ପୃକ୍ତି ଅଭିଯୋଗ ଥିଲା। ଏହି ହିଂସାକାଣ୍ଡରେ ୪୦ ଜଣ ସାଧାରଣ ନାଗରିକ ଓ ୨୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଅନେକ ଭିଡିଓରୁ ପୋଲିସ ହିଂସାକାଣ୍ଡ ଓ ଟେକାପଥର ମାଡ କରୁଥିବା ଲୋକଙ୍କ ଫଟୋ ସଂଗ୍ରହ କରିଛି। ଏଥିରେ ସିସିଟିଭି ଫୁଟେଜରୁ ମଧ୍ୟ ଫଟୋ ନିଆଯାଇଛି।





