ବଦଳିଲା ସ୍ୱର: ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଲେ ପୁରୀ ଜିଲ୍ଲା ଅବକାରୀ ଇନ୍‌ସପେକ୍ଟର ସଞ୍ଜୀବ ପଣ୍ଡା

ପୁରୀ : ପୁରୀ ଜିଲ୍ଲା ଅବକାରୀ ଇନ୍‌ସପେକ୍ଟର ସଞ୍ଜୀବ ପଣ୍ଡା ଏକ ଭିଡିଓ ଜାରି କରି ଭୁଲ ମାଗିଛନ୍ତି | ପ୍ରଥମେ ଛୁଟି ପାଇଁ ଆବେଦନ କରି ଏବେ ଏକ ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଛନ୍ତି । ନିଜର ଭୁଲ୍‌ ସ୍ୱୀକାର କରି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ।

ଭିଡିଓରେ ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ମୁଁ ୨୦୨୦ ଅକ୍ଟୋବରରୁ କିଛି କାରଣ ପାଇଁ ମୋର ମାନସିକ ସ୍ଥିତି ଭଲନଥିଲା । ସେତେବେଳେ ମୋତେ କରୋନା ହୋଇଥିଲା । ସେବେଠୁ ମେଡିସିନ ଖାଉଥିଲି । ହେଲେ ଏବେ କିଛି ଦିନ ହେବ ମେଡିସିନ ସରିଯାଇଥିଲା । ମାସେ ହେଲା ମେଡିସିନ ଖାଇନାହିଁ । ତେଣୁ ମାନସିକ ଭାବେ ଅସ୍ଥିର ଥିଲି ।

ପ୍ରକୃତରେ ମୁଁ ସେମିତି ପିଲା ନୁହେଁ, ମୁଁ ଭଲ ପିଲା । ମୁଁ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ଓ ପୁରୀ ପୋଲିସଙ୍କୁ ବହୁତ ସମ୍ମାନ ଦିଏ । ପୋଲିସ ବହୁତ ଭଲ । ଏସ୍‌ପି, ଜିଲ୍ଲାପାଳ ବହୁତ ଭଲ କାମ କରୁଛନ୍ତି । ସେମାନେ ବହୁତ କଷ୍ଟ କରୁଛନ୍ତି । ଅବକାରୀ ବିଭାଗକୁ ସବୁ କ୍ଷେତ୍ରରେ ସହଯୋଗ କରିଛନ୍ତି । ଯାହାବି ହୋଇଛି ଭୁଲ୍ । ମୋ ପାଟିରୁ ଭୁଲରେ ବାହାରିଯାଇଛି । ମୁଁ ଜଣେ ମାନସିକ ରୋଗୀ । ତେଣୁ ଯାହାବି ଭୁଲ ହୋଇଛି ମୋତେ କ୍ଷମା କରିଦେବେ ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅବକାରୀ କମିସନରଙ୍କ ନିକଟରେ ଅଭିଯୋଗ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ପୁରୀ ଥାନା ପୁଲିସ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛି ବୋଲି ଅବକାରୀ କମିଶସନର ଆଶିଷ କୁମାର ସିଂହଙ୍କୁ ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅଭିଯୋଗ କରିଥିଲେ । ବାସ ଏହା ପରେ ସାରା ରାଜ୍ୟରେ ଏନେଇ ହଟଚମଟ ସୃଷ୍ଟି ହୋଇଯାଇଥିଲା । ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ଅବକାରୀ କମିସନରଙ୍କ କାର‌୍ୟ୍ୟାଳୟରୁ ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ମଗାଯାଇଛି। ଶ୍ରୀ ପଣ୍ଡା ଯେଉଁ ଟଙ୍କା କାରବାର ଅଭିଯୋଗ ଆଣିଛନ୍ତି, ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କୁହାଯାଇଛି। ପୁରୀ ଜିଲ୍ଲା ପୁଲିସ ବି ସମାନ୍ତରାଳ ଭାବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Related Posts