ଦକ୍ଷିଣ ଆଫ୍ରିକାରେ ଦୁର୍ନୀତି ଅଭିଯୋଗରେ ଦୀର୍ଘ ଦିନ ଧରି ଫେରାର ଥିବା ଗୁପ୍ତା ବ୍ରଦର୍ସ ଗିରଫ

ନୂଆଦିଲ୍ଲୀ: ଧରାପଡ଼ିଲେ ବହୁ ଚର୍ଚ୍ଚିତ ଗୁପ୍ତା ବ୍ରଦର୍ସ । ଦକ୍ଷିଣ ଆଫ୍ରିକାରେ ଦୁର୍ନୀତି ଅଭିଯୋଗରେ ଦୀର୍ଘ ଦିନ ଧରି ଫେରାର ଥିବା ଭାରତୀୟ ବ୍ୟବସାୟୀ ଗୁପ୍ତା ବ୍ରଦର୍ସ ଗିରଫ ହୋଇଛନ୍ତି | ସଂଯୁକ୍ତ ଆରବ ଏମିରେଟ୍ସରେ ଗିରଫ କରାଯାଇଛି ।

ଏନେଇ ଦକ୍ଷିଣ ଆଫ୍ରିକା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି କି, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପୁଲିସ ଗୁପ୍ତ ପରିବାରର ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତାଙ୍କୁ ଗିରଫ କରିଛି। ଉଭୟଙ୍କ ବିରୋଧରେ ଇଣ୍ଟରପୋଲ ଏକ ରେଡ୍‌ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ଏବେ ଦକ୍ଷିଣ ଆଫ୍ରିକା ସରକାର ଉଭୟଙ୍କୁ ଆଣିବାକୁ ଚେଷ୍ଟା କରୁଛି।

ଗୁପ୍ତା ବ୍ରଦର୍ସ ପ୍ରାୟ ୨୪ ବର୍ଷ ପୂର୍ବେ ବ୍ୟବସାୟ କରିବା ପାଇଁ ସହାରନପୁରରୁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ତା’ପରେ ସେଠାରେ ତାଙ୍କର ବ୍ୟବସାୟ ଏପରି ବଢ଼ିଲା ଯେ ସେ ସେହି ଦେଶର ଶ୍ରେଷ୍ଠ ଧନୀ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ପାଲଟି ଗଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହ ଗୁପ୍ତା ବ୍ରଦର୍ସଙ୍କ ଭଲ ସମ୍ପର୍କ ଥିଲା। ଏହାର ଲାଭ ଉଠାଉଥିଲେ ସେମାନେ ଏବଂ ବରିଷ୍ଠ ସ୍ତରରେ ଯେଉଁ ସବୁ ନିଯୁକ୍ତ ହେଉଥିଲା ସେଥିରେ ମଧ୍ୟ ଗୁପ୍ତା ବ୍ରଦର୍ସଙ୍କ ବଡ ଭୂମିକା ରହୁଥିବା ଅଭିଯୋଗ ରହିଛି।

ଦକ୍ଷିଣ ଆଫ୍ରିକା ଦୁର୍ନୀତି ସମ୍ପର୍କିତ ଏକ ରିପୋର୍ଟରେ ସ୍ପଷ୍ଟ କରିଛି ଯେ, ସରକାରୀ ଅର୍ଥକୋଷରୁ କୋଟି କୋଟି ଟଙ୍କା ଲୁଟିବା ପରେ ଦେଶ ଛାଡି ପଳାଇଥିବା ଗୁପ୍ତା ବ୍ରଦର୍ସଙ୍କ ମାଲିକାନାରେ ଥିବା ଖବରକାଗଜ ‘ଦି ନ୍ୟୁ ଏଜ୍’କୁ ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ତରଫରୁ ସହାୟତା ପଠାଯାଇଥିଲା। ୨୦୧୮ରେ ଦକ୍ଷିଣ ଆଫ୍ରିକା ଛାଡିବା ପୂର୍ବରୁ ଗୁପ୍ତା ବ୍ରଦର୍ସ ୧୫ ବିଲିଅନ୍‌ ଆଫ୍ରିକୀୟ ମୁଦ୍ରା ଲୁଟି ନେଇଥିବା ଅଭିଯୋଗ ରହିଛି। ଏବେ ଏମାନଙ୍କୁ ଦକ୍ଷିଣ ଆଫ୍ରିକା ଆଣିବା ପାଇଁ ଯୋଜନା ଚାଲିଛି।

ମୂଳ ରୂପେ ଉତ୍ତରପ୍ରଦେଶର ସହାରନପୁରରେ ରହୁଥିବା ତିନି ଗୁପ୍ତା ବ୍ରଦର୍ସ ଅଜୟ, ଅତୁଲ ଓ ରାଜେଶ ୧୯୯୦ରେ ଦକ୍ଷିଣ ଆଫ୍ରିକାରେ ଏକ ଜୋତା ଷ୍ଟୋର ଖୋଲିଥିଲେ। ଏହାପରେ ପୂରା ପରିବାର ଯାଇ ସେଠାରେ ସ୍ଥାୟୀ ଭାବେ ବସବାସ କରିବା ଆରମ୍ଭ କରିଥିଲେ। ପରେ ଗୁପ୍ତା ପରିବାର ଆଇଟି, ମିଡିଆ ଓ ଖନନ କମ୍ପାନୀ ଖୋଲିଥିଲା। ଗୁପ୍ତା ବ୍ରଦର୍ସଙ୍କ ଦୁର୍ନୀତି କାରବାରରେ ବ୍ୟାଙ୍କ ଅଫ୍‌ ବରୋଦାଙ୍କ ନାମ ମଧ୍ୟ ଉଠିଥିଲା। ଦକ୍ଷିଣ ଆଫ୍ରିକାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାପରେ ବ୍ୟାଙ୍କ ଅଫ୍ ବରୋଦା ତାଙ୍କୁ ସାହାଯ୍ୟ କରିଥିବା ଜଣା ପଡିଥିଲା।

Related Posts