ମଧ୍ୟପ୍ରଦେଶ ବାଲାଘାଟରେ ବଡ ଅଘଟଣ: କୂଅ ସଫା କରିବାକୁ ଯାଇଥିବା ବେଳେ ବିଷାକ୍ତ ଗ୍ୟାସ୍‌ରେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ

ଭୋପାଳ: କୂଅ ସଫା କରିବାକୁ ଯିବା ପାଲଟିଲା କାଳ | ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । କୂଅ ଭିତରେ ବିଷାକ୍ତ ଗ୍ୟାସ୍‌ ଥିବା ଯୋଗୁ ଏହିଭଳି ଅଘଟଣ ଘଟିଥିବା ସୂଚନା ମିଳିଛି | ମୃତକଙ୍କ ମଧ୍ୟରେ ୩ ଜଣ ଭାଇ ଥିବା ସୂଚନା ମିଳିଛି | ମଧ୍ୟପ୍ରଦେଶ ବାଲାଘାଟରେ ଏହି ବଡ ଅଘଟଣ ଘଟିଛି ।

ପ୍ରାପ୍ତ ସୂଚନା ମୁତାବକ, ଗତକାଲି(ବୁଧବାର) ଅପରାହ୍ନ ୩ଟା ସମୟରେ ବାଲାଘାଟର କୁନ୍ଦନ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି ।

ବର୍ତ୍ତମାନ ଏହି ଅଞ୍ଚଳରେ ଜଳସଙ୍କଟ ଦେଖାଦେଇଛି । ତେଣୁ ଗାଁରେ ଥିବା ଏକ ଅପରିଷ୍କାର କୂଅକୁ ସଫା କରିବାକୁ ଗାଁର ଯୁବକମାନେ ସ୍ଥିର କରିଥିଲେ । ସଫେଇ କାର୍ଯ୍ୟ ପାଇଁ ଛଅ ଜଣ ଯୁବକ କୂଅ ଭିତରକୁ ଯାଇଥିଲେ । ହେଲେ ଏହି ସମୟରେ କୂଅର ତଳ ଭାଗରେ କୌଣସି ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ । ଗାଁଲୋକେ କଷ୍ଟେମଷ୍ଟେ ସେମାନଙ୍କୁ କୂଅରୁ ବାହାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲା । ସେହିପରି ଅନ୍ୟ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।

ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି,”ଗାଁ କୂଅରେ ବିଷାକ୍ତ ଗ୍ୟାସ୍ ଯୋଗୁଁ କିଛି ଯୁବକଙ୍କ ଅକାଳ ବିୟୋଗ ଘଟିଥିବାର ଦୁଃଖଦ ଖବର ମୋ ପାଖକୁ ଆସିଛି । ଦିବଙ୍ଗତ ଆତ୍ମାଙ୍କୁ ଶ୍ରୀଚରଣରେ ସ୍ଥାନ ଦେବାକୁ ଏବଂ ତାଙ୍କ ପରିଜନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦେବାକୁ ମୁଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।”

Related Posts