ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ସହରର ଆଜି ମସଜିଦ ବାହାରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଆପତ୍ତିଜନକ ବିବୃତ୍ତି ଉପରେ ତୀବ୍ର ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ତୁରନ୍ତ ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏହି ପ୍ରତିବାଦରେ କର୍ଣ୍ଣାଟକର ବେଲାଗାଭିରେ ଜଣେ ନିଲମ୍ବିତ ବିଜେପି ନେତାଙ୍କ ଏକ ଚିତ୍ରକୁ ସର୍ବସାଧାରଣରେ ଝୁଲାଯାଇଥିଲା । ସେପଟେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ମୁଖପାତ୍ର ନୁପୁର ଶର୍ମାଙ୍କ ବିରୋଧରେ ବେଲାଗାଭିର ଫୋର୍ଟ ରୋଡରେ ଥିବା ମସଜିଦ ନିକଟରେ ବଜାରରେ ନୁପୁର ଶର୍ମାଙ୍କର ଏକ ଚିତ୍ର ସର୍ବସାଧାରଣରେ ଟାଙ୍ଗି ଦିଆଯାଇଥିଲା। ଖବର ପାଇ ପୁଲିସ ନୁପୁର ଶର୍ମାଙ୍କ ଛବିକୁ ଜବତ କରିଥିଲା ।

ଯାହା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବିସ୍ତାର କରିବା ଏବଂ ସମାଜରେ ଶାନ୍ତି ଭଙ୍ଗ କରିବା ପାଇଁ ବେଲାଗାଭି ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ପରିପ୍ରେକ୍ଷୀରେ ମାର୍କେଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ସିସିଟିଭି ମାଧ୍ୟମରେ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି। ଘଟଣାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପୋଲିସର ନିୟୋଜନ ବୃଦ୍ଧି କରାଯାଇଛି।