ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲି ଦେଶର ସମଗ୍ର ରାଜଭବନ ଘେରାଉ କରିବ କଂଗ୍ରେସ । ସେପଟେ ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି କ୍ରମାଗତ ୩ୟ ଦିନ ପାଇଁ ଜେରା କରୁଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସତ୍ୟାଗ୍ରହ କରୁଛନ୍ତି। ଅନ୍ୟପଟେ ଶତାଧିକ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଏହି ବିକ୍ଷୋଭକୁ ଭଣ୍ଡୁର କରିବା ପାଇଁ ଦିଲ୍ଲୀ ପୁଲିସ୍ ସବୁ ସୀମା ଟପି ଯାଇଛି। ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟରେ ଶତାଧିକ ପୁଲିସ କର୍ମୀ ଧସେଇ ପଶିଛନ୍ତି। ଏଥିସହ ସେଠାରେ ଥିବା କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ଠେଲାପେଲା କରିଛନ୍ତି। ଦୁଇ ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ୍ କର୍ମଚାରୀମାନେ ମୁଖ୍ୟାଳୟ ଭିତରକୁ ଘୋଷାରି ଘୋଷାରି ଆଣୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପୁଲିସର ଏପରି ଆଚରଣକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି। ଏହାକୁ ବିରୋଧ କରି ଦଳ ଆସନ୍ତାକାଲି ସମଗ୍ର ଦେଶରେ ରାଜଭବନଗୁଡ଼ିକ ଘେରାଉ କରିବ ବୋଲି ସୂଚନା ମିଳିଛି ।
ସେପଟେ ଦଳର ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲା କହିଛନ୍ତି, ସରକାରଙ୍କ କଥାରେ ଦିଲ୍ଲୀ ପୁଲିସ୍ ଗୁଣ୍ଡାଗର୍ଦ୍ଦି କରୁଛି। ସେମାନେ କଂଗ୍ରେସ ଅଫିସରେ ପଶି କର୍ମୀମାନଙ୍କୁ ମାଡ଼ ମାରିଛନ୍ତି। ଏହା ଏକ ଅପରାଧ। ସେମାନଙ୍କ ଗୁଣ୍ଡାଗର୍ଦ୍ଦି ଚରମ ସୀମାରେ ପହଞ୍ଚିଛି। ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ଆମେ କଂଗ୍ରେସ ଭବନରେ ଧସେଇ ପଶିଥିବା ପୁଲିସ୍ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରୁଛୁ। ସେମାନଙ୍କୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସନ୍ତାକାଲି କଂଗ୍ରେସ ଦେଶର ସବୁ ରାଜଭବନ ଘେରାଉ କରିବ। ସେହିପରି ଦିନକ ପରେ ଜିଲ୍ଲା ସ୍ତରରେ ମଧ୍ୟ ବିକ୍ଷୋଭ କରାଯିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





