ବ୍ୟବସାୟୀଙ୍କ ମୁଣ୍ଡ ଜାମିନ୍ ରଖି ବନ୍ଧାହେଲେ ୨ ଯୁବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟବସାୟୀଙ୍କ ମୁଣ୍ଡ ଜାମିନ୍ ରଖି ବନ୍ଧାହେଲେ ୨ ଯୁବକ । ଏବେବି ଫେରାର ରହିଛି ମାଷ୍ଟର ମାଇଣ୍ଡ । ତେବେ ସୁଦୁର ମହାରାଷ୍ଟ୍ରରୁ ବ୍ୟବସାୟ କରିବା ପାଇଁ କୋରାପୁଟକୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ । ଏକ ନିର୍ଦ୍ଦିଷ୍ଟ ହୋଟେଲରେ ରହି ବ୍ୟବସାୟ କରୁଥିଲେ । ଜଣେ ସ୍ଥାନୀୟ ଯୁବକଙ୍କ ସହ ସେମାନଙ୍କର ଘନିଷ୍ଠତା ବଢିଥିଲା । ଯୁବକ ଜଣଙ୍କ ବ୍ୟବସାୟୀ ମହମ୍ମଦ ଇମଦାନଙ୍କୁ ସହର ବୁଲାଇବାକୁ କହି ଏକ ନିଛାଟିଆ ଜଙ୍ଗଲକୁ ନେଇ ଯାଇଥିଲେ ଏବଂ ଦେଢ଼ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ରଖିଥିଲେ । ପରେ ଇମଦାନଙ୍କ ଭାଇ ତୁରନ୍ତ ତାଙ୍କୁ ମୁକୁଳାଇବା ପାଇଁ ଅନଲାଇନ ଜରିଆରେ ୧ ଲକ୍ଷ ଟଙ୍କା ଦେଇଥିଲେ ।

ଏହାପରେ ସମ୍ପୃକ୍ତ ଯୁବକ ସେଠାରୁ ଚମ୍ପଟ ମାରିବା ସହ ଅନ୍ୟ ଦୁଇ ସହଯୋଗୀ ବିମଳ ଓ ସରୋଜଙ୍କ ଜିମାରେ ଛାଡିଥିଲେ । ସେହି ଦିନ ବିଳମ୍ବିତ ରାତିରେ ଇମଦାନଙ୍କୁ କୋରାପୁଟ ବସଷ୍ଟାଣ୍ଡରେ ଛାଡ଼ିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ସରୋଜ ଓ ବିମଳ ଏକ ମଟରସାଇକେଲ ଯୋଗେ ଇମଦାନଙ୍କୁ ବସଷ୍ଟାଣ୍ଡରେ ଛାଡି ପଳେଇବା ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ଜଣାପଡିଥିଲା। ଇମଦାନଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିମଲ ଓ ସରୋଜକୁ ଗିରଫ କରିଛି ।

Related Posts