ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାଶନାଲ ହେରାଲ୍ଡ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରୁଛି । ଯାହାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଜେରା ବେଳେ ୟଙ୍ଗ ଇଣ୍ଡିଆନ-ଏଜେଏଲ ଡିଲ୍ କଥା ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ନାଁ ରାହୁଲ ଗାନ୍ଧୀ କହିଥିବାର କଥା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ବରଂ ଏହି ଡିଲ୍ରେ ହୋଇଛି ସେଥିପାଇଁ ଶ୍ରୀ ଭୋରା ହିଁ ଦାୟୀ ବୋଲି ରାହୁଲ ଇଡି ଆଗରେ କହିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେପଟେ ଉକ୍ତ ରିପୋର୍ଟରେ କରାଯାଇଥିବା ଦାବିକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ମୋତିଲାଲଙ୍କ ପୁଅ ତଥା କଂଗ୍ରେସ ବିଧାୟକ ଅରୁଣ ଭୋରା। ଏଥିସହ ରାହୁଲ ଗାନ୍ଧି କେବେ ହେଲେ ତାଙ୍କ ବାପାଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଲଗାଇ ପାରିବେ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଅନ୍ୟପଟେ ନ୍ୟାଶନାଲ ହେରାଲ୍ଡର ଡିଲ୍ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ସୋମବାର ଠାରୁ ବୁଧବାର ମଧ୍ୟରେ ଇଡି ପ୍ରାୟ ୩୦ ଘଣ୍ଟା କାଳ ଜେରା କରି ସାରିଲାଣି।
ତାଙ୍କୁ ପୁଣି ଶୁକ୍ରବାର ହାଜର ହେବାକୁ ନୋଟିସ କରାଯାଇଛି। ତେବେ ବୁଧବାର ୧୦ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧି କୁଆଡ଼େ ମୋତିଲାଲ ଭୋରାଙ୍କୁ ଏହି ବିବାଦୀୟ ଡିଲ୍ ପାଇଁ ଉତ୍ତରଦାୟୀ କରିଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର ମୋତିଲାଲ ଭୋରାଙ୍କ ତତ୍ତ୍ୱାବଧାନରେ ହୋଇଥିଲା ବୋଲି ରାହୁଲ ଇଡି ଆଗରେ କହିଛନ୍ତି। ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଅରୁଣ ଭୋରା କହିଛନ୍ତି, “ଏହା ଭିତ୍ତିହୀନ ଅଭିଯୋଗ। ଭୋରାଜୀଙ୍କ ସମେତ କଂଗ୍ରେସ ନେତୃତ୍ୱବୃନ୍ଦ ଆଦୌ ଭୁଲ କରି ନଥିଲେ। ରାହୁଲଜୀ କେବେ ହେଲେ ମୋ ବାପାଙ୍କ ବିରୋଧରେ ଏତେ ବଡ଼ ଅଭିଯୋଗ ଲଗାଇ ପାରିବେ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





