ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ନୁପୁର ଶର୍ମାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଦିଲ୍ଲୀରେ ପହଞ୍ଚିଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ସେପଟେ ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ରାଜ୍ୟ ପୋଲିସ ଦଳ ଉପସ୍ଥିତ ଅଛନ୍ତି ଏବଂ ସେମାନେ ନୁପୁର ଶର୍ମାଙ୍କୁ ଗିରଫ କରିପାରିବେ।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ପିଧୋନୀ ପୋଲିସର ଟିମ୍ ଦିଲ୍ଲୀରେ ପହଞ୍ଚିଛି। ଜୁନ୍ ୨୫ ରେ ସକାଳ ୧୧ ଟା ସମୟରେ ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ନୁପୁର ଶର୍ମାଙ୍କୁ ପିଧୋନି ପୋଲିସ ଷ୍ଟେସନକୁ ଡକାଯାଇଛି । ରଜା ଏକାଡେମୀର ଅଭିଯୋଗକୁ ଆଧାର କରି ମୁମ୍ବାଇ ପୋଲିସ ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।