ଇଡି ଭଳି ସଂସ୍ଥାକୁ ବିଜେପି ରାଜନୈତିକ ଦଳର ସଂସ୍ଥା ଭାବେ ବ୍ୟବହାର କରୁଛି: ଯୁବ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଜେରା କରୁଛି । ଯାହାକୁ ନେଇ ସାରା ଭାରତରେ କଂଗ୍ରେସ ଏହାର ବିରୋଧ ପ୍ରଦର୍ଶନ କରିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ କର୍ମୀମାନେ ଇଡି କାର‌୍ୟ୍ୟାଳୟରେ କଳା ପତାକା ଲଗାଇଥିଲେ। ଏହାସହ ଇଡି କାର‌୍ୟ୍ୟାଳୟକୁ ବିଜେପି କାର‌୍ୟ୍ୟାଳୟ ବୋଲି ୱାଲ ପେଣ୍ଟିଂ କରି ବିରୋଧ ପ୍ରଦର୍ଶନ କରିଥିଲେ। ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମସିହାଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଦଳ ଗାନ୍ଧୀ ପରିବାର ବିରୋଧରେ ବହୁ ମିଛ ତଥ୍ୟ ଜରିଆରେ ଅପପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ଇଡି, ସିବିଆଇ ଭଳି ସଂସ୍ଥାକୁ ରାଜନୈତିକ ଦଳର ସଂସ୍ଥା ଭାବେ ବ୍ୟବହାର କରୁଛି।

ଯେଉଁ ନ୍ୟାସନାଲ ହେରାଲ୍ଡ ଖବର କାଗଜ ମନି ଲଣ୍ଡିରିଂ କଥା କୁହାଯାଉଛି, ତାହା ସଂପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏଥିରେ କୌଣସି ଅର୍ଥ କାରବାର ହୋଇନାହିଁ କି ଏଥିରେ ଗାନ୍ଧୀ ପରିବାର ଉପକୃତ ହୋଇନାହାନ୍ତି। ଏହି ଘଟଣାରେ ଇଡି ଯେଉଁଭଳି ହୀନ ଚକ୍ରାନ୍ତ କରି ଜେରା କରୁଛି, ତାହା ସଂପୂର୍ଣ୍ଣ ଭାବେ ନିନ୍ଦନୀୟ। ବିକ୍ଷୋଭରେ ନିରଞ୍ଜନ ନାୟକ, ଜ୍ଞାନରଂଜନ ରାଉତ, ବିଶ୍ବଜିତ ଲେଙ୍କା, ସୌମ୍ୟପ୍ରକାଶ ମିଶ୍ର, ଅକ୍ଷୟ କୁମାର ମଲ୍ଲ ଓ ରିତୁର ମହାରଣା ପ୍ରମୁଖ ସାମିଲ ହୋଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts