ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଏବେ ଜୋର ଧରିଛି ବିବାଦ । ଦେଶର ଅନେକ ରାଜ୍ୟରେ ଆନ୍ଦୋଳନର ନିଆଁ ଜଳୁଛି। ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ ମଧ୍ୟ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି । ଆଜି (ଶନିବାର) ଏହାରି ମଧ୍ୟରେ କୋଭିଡ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆନ୍ଦୋଳନରତ ସେନା ଆଶାୟୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି ।
ସୋନିଆଙ୍କ ପକ୍ଷରୁ ଦଳର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ ଏହି ପ୍ରେସବାର୍ତ୍ତା ଜାରି କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଦିଶାହୀନ ଦର୍ଶାଇବା ସହ ସେନା ନିଯୁକ୍ତି ଆଶାୟୀଙ୍କୁ ସହାନୁଭୂତି ଜଣାଇଛନ୍ତି ସୋନିଆ । କୋଭିଡ କାରଣରୁ ଗତ 3 ବର୍ଷ ହେଲା ସେନାରେ ଭର୍ତ୍ତି ପ୍ରକ୍ରିୟା ବନ୍ଦ ରହିଛି । ସ୍ବାଭାବିକ ଭର୍ତ୍ତି ପରିବର୍ତ୍ତେ ଏପରି ଏକ ଚୁକ୍ତିଭିତ୍ତିକ ପ୍ରକ୍ରିୟା ନିଷ୍ପତ୍ତି ସୋନିଆ ସମାଲୋଚନା ମଧ୍ୟ କରିଛନ୍ତି । ସେହିପରି ବାୟୁସେନାରେ ଭର୍ତ୍ତି ପାଇଁ ପରୀକ୍ଷା ସରିଥିବା ବେଳେ ପରବର୍ତ୍ତୀ ପ୍ରକ୍ରିୟା ନେଇ ସରକାର କିଛି ସ୍ପଷ୍ଟ କରୁନାହାନ୍ତି । ଏପରି ସ୍ଥଳେ ପ୍ରସ୍ତୁତି କରିଥିବା ଆଶାୟୀଙ୍କ ଅବସ୍ଥା ସେ ବୁଝି ପାରୁଛନ୍ତି ବୋଲି ସୋନିଆ କହିଛନ୍ତି ।ସରକାରଙ୍କ ଏହି ନିଷ୍ପତ୍ତି ନେଇ କେବଳ କଂଗ୍ରେସ କିମ୍ବା ଆଶାୟୀ ପ୍ରାର୍ଥୀ ନୁହନ୍ତି ବରଂ ପୂର୍ବ ସେନାଧିକାରୀମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହି ପ୍ରତିବାଦରେ କଂଗ୍ରେସ ଆଶାୟୀ ଛାତ୍ରଙ୍କ ସହ ରହିଛି । ଏହି ଯୋଜନାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ଦଳ ନିଜ ଲଢେଇ ଜାରି ରଖିବା ନେଇ ସୋନିଆ ସ୍ପଷ୍ଟ କରିଛନ୍ତି ।
ସତ୍ୟ ଓ ଅହିଂସା ମାର୍ଗରେ କଗ୍ରେସ ଆଶାୟୀ ଛାତ୍ରଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବ । ଆନ୍ଦୋଳନ ବେଳେ ହିଂସାର ରାସ୍ତା ନ ଆପଣାଇବା ପାଇଁ ମଧ୍ୟ ଆନ୍ଦୋଳନକାରୀ ଛାତ୍ରଙ୍କୁ ସୋନିଆ ପରାମର୍ଶ ଦେଇଛନ୍ତି । ଏହି ଲଢେଇରେ କଂଗ୍ରେସ ସେମାନଙ୍କ ସହ ରହିଥିବା ସୋନିଆ ଆଶ୍ବସନା ମଧ୍ୟ ଦେଇଛନ୍ତି ।





