ତାମିଲନାଡ଼ୁ : ମୋବାଇଲ ଟାୱାର ଚୋରୀ କୁ ନେଇ ତାମିଲନାଡ଼ୁରୁ ଆସିଲା ଏକ ସାଙ୍ଘାତିକ ଚିତ୍ର । ସମଗ୍ର ବିଶ୍ବ ମହାମାରୀ କୋଭିଡ୍ ରେ ଛନ୍ଦି ହୋଇଥିବା ବେଳେ, ଏହି ସମୟରେ ମୋବାଇଲ ଟାୱାରକୁ ନେଇ ବଡ଼ ଚୋରି ହୋଇଛି । ୨୦୨୦ରେ ମହାମାରୀ ଆରମ୍ଭରୁ ୬୦୦ରୁ ଅଧିକ ମୋବାଇଲ ଟାୱାର ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି ।
ରିପୋର୍ଟରୁ ଜଣାପଡ଼ିଛି, ମୋବାଇଲ୍ ଫୋନ୍ ଟାୱାର ସ୍ଥାପନ କରୁଥିବା କମ୍ପାନୀ ଜିଟିଏଲ୍ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ କହିଛି ଯେ ୨୦୧୭ରୁ ଏହା ଉପରେ ନଜର ରଖାଯାଇ ନ ଥିବାବେଳେ ଟାୱାରଗୁଡିକ ଚୋରି ହୋଇଯାଇଛି। ୨୦୧୮ରେ ଘରୋଇ ଟାୱାର ସେବା କମ୍ପାନୀ ବିପୁଳ କ୍ଷତି ହେତୁ ଏହାର ସେବା ବନ୍ଦ କରି ଦେଇଥିଲା। କୋଭିଡ-୧୯ ଅବଧି ହେତୁ ମନିଟରିଂ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପାଇଁ କମ୍ପାନୀ ସେହି ସମୟ ମଧ୍ୟରେ ଟାୱାର ସାଇଟକୁ ଯାଇପାରି ନଥିଲା। ଯେତେବେଳେ ଅଧିକାରୀମାନେ ମୋବାଇଲ୍ ଫୋନ୍ ଟାୱାରର ସ୍ଥିତି ଅନୁସନ୍ଧାନ କରିବାକୁ ଯାଇଥିବାବେଳେ ଇରୋଡ୍ ଜିଲ୍ଲାର ଏକ ମୋବାଇଲ୍ ଟାୱାର ନିଖୋଜ ଥିବା ଜାଣି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।
କୋଭିଡ -୧୯ ଲକଡାଉନର ଫାଇଦା ଉଠାଇ ରହସ୍ୟମୟ ଗ୍ୟାଙ୍ଗ ସେମାନଙ୍କ ମୋବାଇଲ ଫୋନ ଟାୱାର ଚୋରି କରିଥିବା କମ୍ପାନୀ ଅଭିଯୋଗ କରିଛି। ଟାୱାର ଚୋରି ହୋଇଥିବା ସମ୍ପୃକ୍ତ ଜିଲ୍ଲାର ଥାନାରେ ମାମଲା ରୁଜୁ ହୋଇଛି ।
