ଉମରକୋଟ, (ସତ୍ୟପାଠ ବ୍ୟୁରୋ): ଉମରକୋଟ କଲେଜ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବା ୨୪ ଘଣ୍ଟା ନ ପୁରୁଣୁ ୨ ଅଣ ଛାତ୍ରଙ୍କ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ଉପରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଦୀପ କୋମଲ ମହାପାତ୍ର। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ବ୍ୟାପକ ଉତ୍ତେଜନା ଦେଖାଯାଇଛି। ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଣେ ସ୍ନାତକ ମହାବିଦ୍ୟାଳୟରେ ସାଇନ ଡାଏ ଘୋଷଣା କରାଯାଇଛି।

ମିଳିଥିବା ଅନୁଯାୟୀ,ଗତକାଲି କଲେଜ ନିର୍ବାଚନ ଚାଲିଥିବା ସମୟରେ କଲେଜ କ୍ୟାମ୍ପସ ବାହାରେ କିଛି ଦୁଇ ଗୋଷ୍ଠୀର ଅଣଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସେହି ଘଟଣାକୁ ନେଇ ଅଭିଷେକ ପଣ୍ଡା ନାମକ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଆକ୍ରମଣ କରିଥିଲେ। ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିବା ସମୟରେ ପ୍ରାୟ ୩୦ ରୁ ୪୦ ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଦୀପକମଲ ମହାପାତ୍ରଙ୍କୁ ଛୁରା ଓ ଭୁଜାଲି ଆକ୍ରମଣ କରିଥିଲେ।  ତାଙ୍କ ପେଟ ଓ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ ଦୀପକମଲଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାକୁ ନେଇ ସହରରେ ତୀବ୍ର ଉତ୍ତେଜନା ଲାଗିରହିଛି । ଆହତ ଦୀପକମଲ ମହାପାତ୍ରଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣର ପ୍ରକୃତ କାରଣ କଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ସମଗ୍ର ଉମରକୋଟ ସହରରେ ପୁଲିସ ପଇଁତରା ମାରୁଛି। ବର୍ତ୍ତମାନ ଉମରକୋଟ ସହରରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଆଇଆଇସି ଯୁଗଳ ଶବର ସୂଚନା ପ୍ରଦାନ କରିଛନ୍ତି।