ନୂଆଦିଲ୍ଲୀ : ସଙ୍କଟରେ ପାକିସ୍ତାନ । ରାଜନୈତିକ ସଂକଟ ପରେ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ । ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଠାରେ ସାଧାରଣ ନାଗରିକଙ୍କୁ ପେଟ୍ରୋଲ କମ୍ ବ୍ୟବହାରଠୁ ଆରମ୍ଭ କରି କମ୍ ଚା ପିଇବାକୁ ଅପିଲ କରାଯାଉଛି । ଏହାମଧ୍ୟରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ୍ ନିଜ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି ।

ନିଜ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ପେଟ୍ରୋଲ ବଞ୍ଚିବ ବୋଲି ବ୍ୟାଙ୍କ୍ କହିଛି ।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କର୍ମଚାରୀମାନେ ଭର୍ଚୁଆଲ୍ ବୈଠକରେ ସାମିଲ ହୁଅନ୍ତୁ । ଏହାସହ ଦୁଇ ଦିନ ଘରୁ କାମ କରନ୍ତୁ । ଏବେ ସରକାରଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ଟଙ୍କା ନାହିଁ । ସମସ୍ତେ ଅର୍ଥ ସଞ୍ଚୟ କରିବା ଆବଶ୍ୟକ । ତେଣୁ ଇନ୍ଧନ ବଞ୍ଚାଇବା ଜରୁରୀ ବୋଲି ବ୍ୟାଙ୍କ୍ କହିଛି ।

ସେହିପରି ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ୍ କହିଛି ଯେ, କର୍ମଚାରୀମାନେ ସାଧାରଣ ପରିବହନରେ ବ୍ୟାଙ୍କ୍ ଆସିବା ଦରକାର । କାର୍ କମ୍ ବ୍ୟବହାର କଲେ ଭଲ । ଏହାସହ କର୍ମଚାରୀଙ୍କୁ କୌଣସି ଘର ଆସବାବପତ୍ର କ୍ରୟ ଉପରେ ମଧ୍ୟ ମନା କରାଯାଇଛି । କେବଳ ଏତିକି ନୁହେଁ, କର୍ମଚାରୀଙ୍କ ଭ୍ରମଣ ଉପରେ ମଧ୍ୟ ରୋକ୍ ଲାଗିଛି । ଯେପରି ଟଙ୍କା ସଞ୍ଚୟ କରିହେବ ।

ସୂଚନାଯୋଗ୍ୟ, ପାକିସ୍ତାନରେ ସମସ୍ତ ବସ୍ତୁର ଦାମ୍ ହୁହୁ ହୋଇ ବଢିବାରେ ଲାଗିଛି । ଲୋକଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ । ଦେଶ ଦେବାଳିଆ ସ୍ଥିତିରେ ପହଁଚି ସାରିଛି । ଯାହାକୁ ନଜରରେ ରଖି ଇସସାମାବାଦଠୁ ରାଓ୍ୱଲପିଣ୍ଡି ଯାଏଁ ସମସ୍ତ ବଜାରକୁ ରାତି 9ଟା ପୂର୍ବରୁ ବନ୍ଦ କରିଦିଆଯାଉଛି ।