ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର ଦେଲା ୱାଇ ପ୍ଲସ୍ ସୁରକ୍ଷା । ଏହି ସୁରକ୍ଷା ପାଇଥିବା ବିଧାୟକଙ୍କ ଭିତରେ ରମେଶ ବୋର୍ଣ୍ଣାଡ଼େ, ମଙ୍ଗେସ କୁଦଲକର, ସଞ୍ଜୟ ଶିରସାତ, ଲତାବାଇ ସୋନାୱାନେ ଓ ପ୍ରକାଶ ସୁର୍ବେ ପ୍ରମୁଖ ଅଛନ୍ତି। ବିଦ୍ରୋହୀ ବିଧାୟକଙ୍କ ପରିବାରଠାରୁ ସୁରକ୍ଷା ବ୍ୟବସ୍ଥା କାଢ଼ି ନିଆଯାଇଛି ବୋଲି ବୋଲି ଅଭିଯୋଗ କରି ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ, ଡିଜିପି ରଜନୀଶ ସେଠ ଓ ଅନ୍ୟମାନଙ୍କୁ ଚିଠି ଲେଖିଥିଲେ। ମହାବିକାଶ ଅଘାଡ଼ି ସରକାର ଏ ଅଭିଯୋଗକୁ ଅସ୍ବୀକାର କରିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ କାର‌୍ୟ୍ୟାଳୟଗୁଡ଼ିକୁ ଶିବସୈନିକଙ୍କ ଦ୍ବାରା ଭଙ୍ଗାରୁଜା କରାଯାଇଛି ବୋଲି ରିପୋର୍ଟ ମିଳିବା ପରେ ସିନ୍ଦେ ଉକ୍ତ ଚିଠି ଲେଖିଥିଲେ।

ଶିବସେନାର ରାସ୍ତାକୁ ଓହ୍ଲାଇବା ଧମକ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତ କରିବା ପାଇଁ ସିନ୍ଦେ ରବିବାର ସକାଳେ ଗୌହାଟିର ଏକ ହୋଟେଲରେ ନିଜ ଅନୁଗତ ବିଧାୟକମାନଙ୍କର ଏକ ବୈଠକ ଡାକିଥିଲେ। ଶିବସେନାର ୩୮ ବିଧାୟକଙ୍କ ସମର୍ଥନ ଅଛି ବୋଲି ସିନ୍ଦେ ଦାବି କରିଥିଲେ ଯାହା ଶିବସେନାର ମୋଟ ୫୫ ବିଧାୟକଙ୍କର ଦୁଇତୃତୀୟାଂଶରୁ ଅଧିକ। ମହାରାଷ୍ଟ୍ର ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୨୮୮। ଯଦି ସିନ୍ଦେଙ୍କ କଥା ସତ ହୁଏ, ତେବେ ସେମାନେ ବର୍ତ୍ତମାନ ଏକ ନୂଆ ରାଜନୈତିକ ଦଳ ଗଢ଼ିବେ କିମ୍ବା ଅନ୍ୟ ଦଳ ସହ ମିଶିବେ। ସେମାନେ ଯାହା କଲେ ବି ବର୍ତ୍ତମାନର ଏମ୍ଭିଏ ସରକାରର ପତନ ଘଟିବ। ଏ ଖବର ସାମ୍ନାକୁ ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।