ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ଏବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକୁ ନେଇ ଫିଲ୍ମ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ନିର୍ମାତା ସନ୍ଦୀପ ସିଂ ଫିଲ୍ମର ପୋଷ୍ଟର ସେୟାର କରି ଏହି ଫିଲ୍ମ ନିର୍ମାଣ ନେଇ ଘୋଷଣା କରିଛନ୍ତି। ଏଥି ସହିତ ସିନେ ସମୀକ୍ଷକ ତରନ ଆଦର୍ଶ ମଧ୍ୟ ପୋଷ୍ଟର ସେୟାର କରି ଫିଲ୍ମର ସବିଶେଷ ତଥ୍ୟ ସେୟାର କରିଛନ୍ତି। ଫିଲ୍ମର ପୋଷ୍ଟର ସେୟାର କରି ସନ୍ଦୀପ ସିଂ ଇନଷ୍ଟାଗ୍ରାମରେ ଲେଖିଛନ୍ତି- ‘ଅଟଳ ବିହାରୀ ବାଜପେୟୀଜୀ ଭାରତୀୟ ଇତିହାସର ଅନ୍ୟତମ ପ୍ରମୁଖ ନେତା, ଯିଏ ତାଙ୍କ କଥାରେ ଶତ୍ରୁମାନଙ୍କ ହୃଦୟ ଜିତିଥିଲେ। ଯିଏ ଦେଶକୁ ସକରାତ୍ମକ ଭାବରେ ଆଗେଇ ନେଇଥିଲେ ଏବଂ ଏକ ପ୍ରଗତିଶୀଳ ଭାରତର ମାନଚିତ୍ର ପ୍ରସ୍ତୁତ କରିଥିଲେ।
ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ, ମୁଁ ଅନୁଭବ କରୁଛି ଯେ ସିନେମା ଏଭଳି ଅକୁଆ କାହାଣୀ କହିବା ପାଇଁ ସର୍ବୋତ୍ତମ ଉତ୍ସ, ଯାହା କେବଳ ତାଙ୍କର ରାଜନୈତିକ ଚିନ୍ତାଧାରା ସହ ତାଙ୍କ ସହ ଜଡ଼ିତ ଅନେକ କଥାକୁ ସାମ୍ନାକୁ ଆଣିବ। ତେବେ ତରନ ଆଦର୍ଶ ଫିଲ୍ମର ନାଁ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ଉଲ୍ଲେଖ ଏନପିଙ୍କ ଦ୍ୱାରା ଲିଖିତ ‘ଦ ଅନଟୋଲ୍ଡ ବାଜପେୟୀ: ପଲିଟିସିଆନ୍ ଆଣ୍ଡ ପାରାଡୋକ୍ସ’ ପୁସ୍ତକକୁ ଆଧାର କରି ସନ୍ଦୀପ ସିଂ ‘ମେନ୍ ରହୁଁ ୟା ନା ରହୁଁ ୟେ ଦେଶ ରେହନା ଚାହିଏ-ଅଟଳ’ ନାମକ ଫିଲ୍ମ ତିଆରି କରିବେ। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ରେ ଆରମ୍ଭ ହେବ ଏବଂ ଏହା ଖ୍ରୀଷ୍ଟମାସ ୨୦୨୩, ବାଜପେୟୀଙ୍କ ୯୯ତମ ଜନ୍ମ ବାର୍ଷିକୀରେ ମୁକ୍ତିଲାଭ କରିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
