ରାହୁଲଙ୍କ ଭୁବନେଶ୍ବର ରାଲି, କ’ଣ ଭୁଶୁଡୁଥିବା ଦୁର୍ଗ ସମ୍ଭାଳି ପାରିବ କଂଗ୍ରେସ ?

ପ୍ରଶ୍ନ ହେଲା ଯେଉଁ ଓଡ଼ିଶାରେ ବିଜେପି ନିଜର ପୁରା ଶକ୍ତି ଲଗାଉଛି, ସେଠାରେ କଂଗ୍ରେସର ଗତି ଏତେ ଧିମା କାହିଁକି ? ଓଡ଼ିଶାରେ କ’ଣ କଂଗ୍ରେସ ନେତାଙ୍କୁ ଲାଗୁଛି ଯେ ଆଗାମୀ ନିର୍ବାଚନରେ ଦଳର ନୌକା ସମ୍ପୂର୍ଣ୍ଣ ବୁଡ଼ିଯିବ, ଏଥିପାଇଁ ନେତାଏ ଦଳ ଛାଡ଼ି ପଳାଉଛନ୍ତି ?

ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫୁଙ୍କିବେ ଦଳର ନିର୍ବାଚନୀ ବିଗୁଲ୍‌ । ପ୍ରଦେଶ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସୂଚନା ଅନୁସାରେ ଶୁକ୍ରବାରରୁ ରାହୁଲ ଓଡ଼ିଶାରେ ଅଭିଯାନ ତ ଆରମ୍ଭ କରିବେ, କିନ୍ତୁ ଏହା ପରେ ନିର୍ବାଚନ ଯାଏଁ ରାହୁଲ ପ୍ରତି ମାସରେ ବହୁ ଜନସଭା ଓ ରାଲିକୁ ସମ୍ବୋଧନ କରିବେ । ରାଜ୍ୟରେ କଂଗ୍ରେସର ବିଧାୟକ ଓ ନେତାଙ୍କ ଦଳ ଛାଡ଼ିବା ଧାରା ଭିତରେ ରାହୁଲଙ୍କ ଗସ୍ତ ଦଳ ଭିତରେ ନୂଆ ଉତ୍ସାହ ଆଣିପାରେ ।

ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ପ୍ରିୟଙ୍କାଙ୍କୁ ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ବ ଦେଇ ରାହୁଲ ଅନ୍ୟ ରାଜ୍ୟ ଉପରେ ଅଧି ଫୋକସ୍‌ କରିବେ । ତଥାପି ନିର୍ବାଚନ ପ୍ରସ୍ତୁତି କଥା କହିଲେ ଓଡ଼ିଶାରେ ଅନ୍ୟ ଦଳଙ୍କ ତୁଳନାରେ କଂଗ୍ରେସ ଖୁବ୍‌ ପଛରେ ଥିବା ଭଳି ଦେଖାଯାଉଛି ।

ବିଜେପି ରାଜ୍ୟରେ ବେଶ୍‌ ପୂର୍ବରୁ ଆରମ୍ଭ କରିଦେଇଛି ନିର୍ବାଚନ ପ୍ରସ୍ତୁତି । ଯଦିଓ ସ୍ବାସ୍ଥ୍ୟ ଖରାପ ହେବା ଫଳରେ ଏହି ଦୌଡ଼ରେ ପଛରେ ରହିଯାଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ । ତଥାପି ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ନିଜର ପୁରା ଶକ୍ତି ଲଗାଇ ଦେଇଛନ୍ତି ।

ଗତ ମାସକ ଭିତରେ 3 ଥର ଓଡ଼ିଶା ଆସିଛନ୍ତି ମୋଦି । ୟା ଭିତରେ ମୋଦି ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରଶ୍ନ ହେଲା ଓଡ଼ିଶାରେ ବିଜେପି ଯେଉଁଭଳି ପୁରା ଶକ୍ତି ଲଗାଉଛି, ସେଠାରେ କଂଗ୍ରେସର ଗତି ଏତେ ଧିମା କାହିଁକି ?

କ’ଣ ରାଜ୍ୟର କଂଗ୍ରେସ ନେତାଙ୍କୁ ଲାଗୁଛି ଯେ ଆଗାମୀ ନିର୍ବାଚନରେ ଦଳର ନୌକା ସମ୍ପୂର୍ଣ୍ଣ ବୁଡ଼ିଯିବ, ଏଥିପାଇଁ ବହୁ ନେତା ଦଳ ଛାଡ଼ି ପଳାଉଛନ୍ତି ? ଏହାର ସାକ୍ଷୀ ହେଉଛି ଗତ କିଛି ଦିନର ଘଟଣାକ୍ରମ । ତେବେ ରାହୁଲଙ୍କ ଗସ୍ତ କଂଗ୍ରେସକୁ କେତେ ଦୃଢ଼ତା ଦେବ ତାହା ଆଗାମୀ ସମୟ କହିବ ।

Related Posts