ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଘଟଣାକୁ ବର୍ଷେ ବିତିଯିବା ସତ୍ତେ ମଧ୍ୟ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିଲାନି ନ୍ୟାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଥିଲା । ଏପରିକି ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା ବୋଲି ମଧ୍ୟ କୁହା ଯାଉଥିଲା । ହେଲେ ଘଟଣାକୁ ବର୍ଷେ ବିତିଯିବା ସତ୍ତେ ମଧ୍ୟ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ । ସେପଟେ ତିଥି ଅନୁସାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଶନିବାର ଦିନ ବର୍ଷେ ପୂରିଛି। ଶୋକାକୁଳ ପରିବେଶରେ ବାଲେଶ୍ବର ଜିଲ୍ଲା ଖଇରା ବେଗୁନିଆସ୍ଥିତ ଘରେ ପରିବାର ଲୋକ ଶନିବାର ଦିନ ଶ୍ରାଦ୍ଧ କ୍ରିୟାକର୍ମ କରିଛନ୍ତି। ବାପା ଅଭିରାମ ମହାପାତ୍ର ଓ ମାଆ ତୁଳସୀ ମହାପାତ୍ର ପୁଅ ସ୍ମୃତିରେ ଲୁହ ଗଡ଼ାଇଛନ୍ତି। ଶ୍ରାଦ୍ଧକର୍ମରେ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଉଭୟଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ଶ୍ରାଦ୍ଧକର୍ମ ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକେ ଢ଼େର ବିଷୋଦ୍‌ଗାର କରିଥିଲେ।

ପୁଲିସ ଓ ସରକାରରେ ଥିବା ପ୍ରଭାବଶାଳୀ ବ୍ୟକ୍ତି ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଉପରୁ ତାଙ୍କର ସବୁ ଭରସା ତୁଟିଯାଇଛି। ତଥାପି ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ଅଛି। ପୁଅ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର। ସେପଟେ ଗତବର୍ଷ ଜୁଲାଇ ୧୩ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କର ଗଞ୍ଜାମ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦେହରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ। ପରିବାର ଲୋକେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦୋଷାରପ କରିବା ସହ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ। ଏପରିକି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ନ୍ୟାୟ ପାଇଁ ସୌମ୍ୟରଞ୍ଜନଙ୍କ ବାପାମାଆ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ଡିଜି, ଜଙ୍ଗଲ ବିଭାଗର ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କୁ ଗୁହାରି କରିଥିଲେ।

ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ଓ ରୋଷେୟାଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ କରିଥିଲା। ହେଲେ କାହାକୁ ଗିରଫ କଲାନାହିଁ। ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚ ନେଇଥିଲା। ଅଧିକାରୀମାନେ ତଦନ୍ତ ନାମରେ ଦିନ ଗଡ଼ାଇଲେ, ଶେଷରେ ଏହା ଏକ ଆକସ୍ମିକ ଦୁର୍ଘଟଣା ଥିଲା ବୋଲି ଦର୍ଶାଇ ସବୁଦିନ ପାଇଁ ଫାଇଲ ବନ୍ଦ କରିଦେଲେ। ବର୍ଷେ ପରେ ମଧ୍ୟ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ପ୍ରହେଳିକା ହୋଇରହିଛି। ବହୁଚର୍ଚ୍ଚିତ ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts