ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶର ନଜର ରହିଛି । ସେପଟେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଆସନ୍ତା ସୋମବାର ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଗୃହରେ ବହୁମତ ଥିବା ନେଇ ଫ୍ଲୋର ଟେଷ୍ଟକୁ ଓହ୍ଲାଇବେ ସିନ୍ଦେ । ତେବେ ଏହାପୂର୍ବରୁ ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଶିବସେନା ନେତା ଆଦିତ୍ୟନାଥ ଠାକରେ । ଫ୍ଲୋର ଟେଷ୍ଟ ପାଇଁ ସମସ୍ତ ବିଦ୍ରୋହୀ ବିଧାୟକ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି । ଯାହାକୁ ନେଇ ଆଦିତ୍ୟ କହିଛନ୍ତି, ଆଉ କେତେ ଦିନ ଏଭଳି ନିର୍ବାଚନମଣ୍ଡଳୀ ଓ ଶିବସୈନିକଙ୍କ ଠାରୁ ଦୂରେଇ ରହିବ । ନିର୍ବାଚନମଣ୍ଡଳୀ ଗଲେ ଶିବସୈନିକଙ୍କ ଆଖିରେ ଆଖି ମିଶାଇ ପାରିବେ ତ ବିଦ୍ରୋହୀ ବିଧାୟକ ।ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଉଥିବା ସୁରକ୍ଷାକୁ ନେଇ ଆଦିତ୍ୟ ଠାକରେ କହିଛନ୍ତି, ଆତଙ୍କବାଦୀ କସାବକୁ ବି ଏତେ ସୁରକ୍ଷା ଦିଆଯାଇନଥିଲା, ମୁମ୍ବାଇରେ ଏଭଳି ସୁରକ୍ଷା କେବେ ଦେଖିନି? ଆପଣ କାହିଁକି ଡରୁଛନ୍ତି, କଣ କେହି ପଳାୟନ କରିବେ? ଏତେ ଡର କାହିଁକି? ଆସନ୍ତାକାଲି ଅଥାର୍ତ ସୋମବାର ନୂଆ ସରକାର ନିଜ ବହୁମତର ପ୍ରମାଣ ଦେବ ।
ସିନ୍ଦେ ଗୋଷ୍ଠୀ ଓ ବିଜେପି ଏଥିପାଇଁ ବେଶ ସର୍ତକତାର ସହ ଗୋଟିଚାଳନା କରୁଛନ୍ତି । ବିଦ୍ରୋହୀ ବିଧାୟକ ମାନେ ଏବେ ଗୋଆରୁ ଆସି ମୁମ୍ବାଇରେ ଡେରା ପକାଇଛନ୍ତି । ବିଧାନ ଭବନ ନିକଟସ୍ଥ ଏକ ହୋଟେଲରେ ସମସ୍ତଙ୍କୁ ରଖାଯାଇଛି । ସବୁଠୁ ବଡ କଥା ହେଲା ବିଦ୍ରୋହୀ ବିଧାୟକ ରହୁଥିବା ହୋଟେଲକୁ କଡା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହଲ ବେଶ୍ ସରଗରମ ହୋଇ ଉଠିଛି ।
