ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବିଧାୟକମାନଙ୍କୁ ନେଇ ବଡ଼ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି । ତେବେ ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଲ୍ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ଡକ୍ୟୁମେଣ୍ଟ ଦିଆଯାଉନି। ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟକାଳରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇ ନେଲେ, ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି। ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଅନୁମତି ଦେବା ଅନୁଚିତ। ବୁକ ସର୍କୁଲାର ୪୭ ଉଲଂଘନ ହେଉଛି। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ୟ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉ ନାହାନ୍ତି। ଯେତେବେଳେ କି ନିୟମ ରହିଛି ୧୫ ଦିନ ଭିତରେ ଉତ୍ତର ଦିଆଯିବ ।
ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର। ଏହି ପ୍ରସଙ୍ଗରେ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆ ଯାଇ ନାହିଁ ସେମାନଙ୍କୁ ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବୁକ ସର୍କୁଲାର ୪୭ ଉଲ୍ଲଂଘନ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ ବୁକ ସର୍କୁଲାର ୪୭ ସଠିକ ଭାବେ କାର୍ୟ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବାକୁ ବି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





