ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ରାଜ୍ୟ ରାଜନୀତିରେ ମାହୋଲ ବେଶ୍ ସରଗରମ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସି ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଚାର ସାରି ଫେରିଛନ୍ତି । ଉଭୟ ବିଜେଡି ଏବଂ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବା ସ୍ପଷ୍ଟ ହୋଇଥିବା ବେଳେ ଏ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି କ୍ରେଡିଟ୍ ଓ୍ବାର୍ । ସେପଟେ ଦ୍ରୌପଦୀଙ୍କ ଗସ୍ତ ବେଳେ ଉଭୟ ଦଳ କେହି କାହାରିକୁ ସୁଯୋଗ ଛାଡିନଥିବା ବେଳେ ଏବେ ବିଜେଡିର କିଛି ପଦକ୍ଷେପକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ନେତା ମୋହନ ମାଝୀ । ସେ କହିଛନ୍ତି ଦ୍ରୌପଦୀଙ୍କ ପାଇଁ ବିଜେଡି ପ୍ରଚାର ଆଳରେ ନାଟକ କରୁଛି । ସେ କହିଛନ୍ତି, ଏନଡିଏ ବାହାରେ ଥାଇ ମଧ୍ୟ ଅନେକ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ବିଜେପି କୌଣସି ପରିସ୍ଥିତିରେ କଂଗ୍ରେସକୁ ଅନୁରୋଧ କରିବ ନାହିଁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପାଇଁ ବାଟ ଫିଟି ଯାଇଛି । ଯାହା ଓଡିଶା ପାଇଁ ଶୁଭ ସଂକେତ । କିନ୍ତୁ ବିଜେଡି ଶ୍ରେୟ ନେବା ପାଇଁ ନାଟକ କରୁଛି, ତଥାପି ବିଜେପିକୁ ଏହାର ଫାଇଦା ମିଳିବ ବୋଲି ଦୃଢୋକ୍ତି କରିଛନ୍ତି ମୋହନ । ସେ କହିଛନ୍ତି, ୨୦୨୪ ନିର୍ବାଚରେ ଖେଳ ହେବ । ରାଷ୍ଟ୍ରପତି ନିର୍ବାଚନ ପରେ ସେହି ଖେଳ ହେବ ।
ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ଆଶା ନିଶ୍ଚିତ ଭାବରେ ସଫଳ ହେବ । ନବୀନ ବାବୁଙ୍କ ଦୀର୍ଘ ୨୨ବର୍ଷ ଶାସନ କାଳ ଭିତରେ ଓଡିଶା ଆତ୍ମନିର୍ଭର ହୋପାରିଲା କି ବୋଲି ପ୍ରଶ୍ନ କରି ବିଜେଡି ଶାସନକୁ ଆକ୍ଷେପ କରିଛନ୍ତି । କହିଛନ୍ତି, ସମୟକୁ ଅପେକ୍ଷା କରନ୍ତୁ । ବିଜେପି ତାର ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ଦଳର କେନ୍ଦ୍ରୀୟ ମନ୍ତ୍ରୀ ଏବଂ ନେତା ବାରମ୍ବାର ଜଣେ ପରେ ଜଣେ ଓଡିଶା ଗସ୍ତ କରୁଛନ୍ତି । ଯୋଜନା ଆରମ୍ଭ ହୋଇ ଯାଇଛି, ବିଜେପି କ୍ଷମତା ହାସଲରେ ସଫଳ ହେବ ବୋଲି ଆଶା ରଖିଛନ୍ତି ମୋହନ ମାଝୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
