ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶରେ ଆରମ୍ଭ ହୋଇଛି ଟୀକାକରଣ ପକ୍ରିୟା | ତେବେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିକିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନରେ 18-59 ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ଦିଆଯିବ। ବଡ଼ କଥା ହେଉଛି ଏହି ଅଭିଯାନ୍ ପ୍ରଥମ ଦିନରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍‌ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ହିତାଧିକାରୀ ଟିକା ନେଇଛନ୍ତି। ଶୁକ୍ରବାର ସମଗ୍ର ଦେଶରେ ୧୩.୨ ଲକ୍ଷ ଲୋକ ନେଇଛନ୍ତି ବୁଷ୍ଟର ଡୋଜ।

କେନ୍ଦ୍ର ସରକାର କେବଳ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେଉଥିଲେ। ହେଲେ ୧୫ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜର ବ୍ୟବସ୍ଥା କରିଛନ୍ତି।

ଗୁରୁବାର ଯାଏ ସମଗ୍ର ଦେଶରେ ମୋଟ ୭୮.୧ ଲକ୍ଷ ବୁଷ୍ଟର ଡୋଜ୍‌ ଲୋକମାନଙ୍କୁ ଦିଆଯାଇଥିଲା। ଏପ୍ରିଲ ୧୦ରୁ ଦେଶରେ ପ୍ରାପ୍ତ ବୟଙ୍କ ପାଇଁ ବୁଷ୍ଟର ଡୋଜ ନେବାର ସୁବିଧା ଉପଲବ୍ଧ କରାଯାଇଥିଲା। ସେବେଠାରୁ ଗୁରୁବାର ଯାଏ ଦୈନିକ ପ୍ରାୟ ୮୧,୦୦୦ ଡୋଜ୍‌ ଟିକା ଲୋକମାନେ ନେଉଥିଲେ। ହେଲେ ଶୁକ୍ରବାର ମାଗଣା ଅଭିଯାନ ଆରମ୍ଭ ହେବାରୁ ଲୋକଙ୍କ ମଧ୍ୟରେ ବୁଷ୍ଟର ଡୋଜ୍‌ ନେବାକୁ ଆଗ୍ରହ ଦେଖିବାକୁ ମିଳିଛି।

ଜୁଲାଇ ୧୪ ଯାଏ ଦେଶରେ ୧୮ରୁ ୫୯ ବର୍ଷ ବର୍ଗରେ ଥିବା ମୋଟ ୭୮,୧୧,୧୪୫ ଜଣ ଲୋକ କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ନେଇଥିଲେ। ଅର୍ଥାତ ଦୈନିକ ୮୧,୩୬୬ ଡୋଜ୍‌ ଟିକାକରଣ ହେଉଥିଲା, ଏବେ କିନ୍ତୁ ଢେର୍ ଅଧିକ ବଢ଼ିଛି।