ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ- କଶ୍ମୀର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (ଏଲଓସି)ରେ ସନ୍ଦିଗ୍ଧ ଅବସ୍ଥାରେ ଉଡୁଥିବା ଏକ ଡ୍ରୋନ୍‌କୁ ଭାରତୀୟ ସେନା ଗୁଳି କରି ଖସାଇ ଦେଇଛି । ନିୟନ୍ତ୍ରଣ ରେଖା (ଏଲଓସି)ର ଅତି ନିକଟତର ହୋଇ ସନ୍ଦିଗ୍ଧ ଡ୍ରୋନଟି ଦୀର୍ଘ ସମୟ ଧରି ଉଡ଼ୁଥିବା ସେଠାରେ ମୁତୟନ ଥିବା ସେନା କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ।ଏହି ଡ୍ରୋନ୍‌ଟିର ଗତିବିଧି ସନ୍ଦେହଜନକ ଥିବା ଦେଖିବା ପରେ ସେନାର ଯବାନ ଗୁଳି ଚଳାଇ ଏହି ଡ୍ରୋନ୍‌ଟିକୁ ଖସାଇ ଦେଇଥିବା ଜଣା ପଡ଼ିଛି।

ଏହି ଘଟଣା ସଂପର୍କରେ ସୂଚନା ଦେଇ ଭାରତୀୟ ସେନାର ଜଣେ ପ୍ରବକ୍ତା କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ଶନିବାର ସକାଳ ପର୍ଯ୍ୟନ୍ତ ଜମ୍ମୁ- କଣ୍ମୀର କୃଷ୍ଣ ଗାହତି ସେକ୍ଟରର ବାଲୋନିର ଏଲଓସି ନିକଟରେ ଏକ ଡ୍ରୋନ୍‌ ସନ୍ଦେହଜନକ ଜନକ ଅବସ୍ଥାରେ ଉଡୁଥିବା ବେଳେ ସୀମାନ୍ତରେ ମୁତୟନ ସେନା ଯବାନ ମାନେ ଏହାକୁ ଠାବ କରିଥିଲେ। ସନ୍ଦିଗ୍ଧ ଡ୍ରୋନ୍‌ଟି ବାରମ୍ବାର ପାକିସ୍ତାନ ଅଧିକୃତ କାଶ୍ମୀର ପାର୍ଶ୍ୱକୁ ଯିବା ସହ ପୁନର୍ବାର ଭାରତୀୟ ସୀମା ନିକଟକୁ ଫେରି ଆସୁଥିଲା ବୋଲି ସୂତ୍ରରୁ ପ୍ରକାଶ।ଏହାପରେ ସେନା ଏବଂ ପୁଲିସ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ବୋଲି ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।