ନୂଆଦିଲ୍ଲୀ: ଭାରତର ପଞ୍ଚଦଶ ରାଷ୍ଟ୍ରପତି ପାଇଁ ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନ୍ଡିଏ ପକ୍ଷରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ତଥା ବିରୋଧୀ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲ୍ଭାଙ୍କୁ ପ୍ରାର୍ଥୀ କରାଯାଇଛି। ଏନେଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି ।
କିନ୍ତୁ ଏଥିରେ ଗାନ୍ଧି ପରିବାର ଖୁସି ଥିବା ପରି ଜଣାପଡ଼ୁନି ଏବଂ ଖୁସି ନ ହେବା ବି ସ୍ବାଭାବିକ।
ମାର୍ଗୋରେଟ୍ ଆଲ୍ଭା ଏବଂ ଯଶୱନ୍ତ ସିହ୍ନାଙ୍କୁ ଯଥାକ୍ରମେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବା ଘଟଣା ସୂଚାଉଛି ଯେ ସର୍ବ ପୁରାତନ ଦଳ ପ୍ରତି ଅନ୍ୟ ବିରୋଧୀ ଦଳଙ୍କ ଖାତିର ନାହିଁ। ଉକ୍ତ ବହୁ-ଆକାଂକ୍ଷିତ ପଦବୀ ଲାଗି ପ୍ରାର୍ଥୀ ବାଛିବା ପାଇଁ କଂଗ୍ରେସ ମାସାଧିକ କାଳ ଧରି ନାମ ତାଲିକା କଲା ଏବଂ ଅଣ-ଏନ୍ଡିଏ ଦଳମାନଙ୍କ ସହ କଥାବାର୍ତ୍ତା ବି କଲା। କିନ୍ତୁ ମନପସନ୍ଦର ପ୍ରାର୍ଥୀ ବାଛିବାରେ ବିଫଳ ହେଲା। ଉଭୟ ସୋନିଆ ଓ ରାହୁଲ ପ୍ରାର୍ଥୀ ବାଛିବାରେ ସକ୍ରିୟ ଭୂମିକା ନେଇପାରିଲେ ନାହିଁ।
ସେମାନେ ଏହି ଦାୟିତ୍ବ ଶରଦ ପାୱାର, ମମତା ବାନାର୍ଜୀ ଓ ସୀତାରାମ ୟେଚୁରୀଙ୍କ ଉପରେ ଛାଡ଼ିଦେଲେ। କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ ଓ ଜୟରାମ ରମେଶ ପାୱାର ଓ ୟେଚୁରୀଙ୍କ ହଁ’ରେ ହଁ ମାରିଲେ।
ଆଲ୍ଭା ନିଜେ ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତ୍ରୀ, କିନ୍ତୁ ସେ ଗାନ୍ଧି ପରିବାରର କଟୁ ସମାଲୋଚକ ଭାବେ ଜଣାଶୁଣା। ତାଙ୍କ ଆତ୍ମଜୀବନୀ ‘କରେଜ୍ ଆଣ୍ଡ୍ କମିଟ୍ମେଣ୍ଟ’ ୨୦୧୬ ଜୁଲାଇରେ ପ୍ରକାଶ ପାଇଥିଲା। ଏଥିରେ ସେ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିଛନ୍ତି।
ଅପରପକ୍ଷେ ସିହ୍ନା ହେଉଛନ୍ତି ଜଣେ ଅଣକଂଗ୍ରେସ ନେତା। ସେ ପ୍ରଥମେ ଜନତା ଦଳ ଓ ତା’ପରେ ବିଜେପି ନେତା ଥିଲେ ଏବଂ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଜୀବନ ସାରା କଂଗ୍ରେସ ଓ ଗାନ୍ଧି ପରିବାରକୁ (ଇନ୍ଦିରା, ରାଜୀବ, ସୋନିଆ ଓ ରାହୁଲ) ବିରୋଧ କରି ଆସିଛନ୍ତି। ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତିରେ କଂଗ୍ରେସର ହାତ ଥିବା ସିହ୍ନା ଅଭିଯୋଗ କରି ଆସିଛନ୍ତି। ଏପରି ଲୋକର ପ୍ରାର୍ଥିତ୍ବକୁ ଗ୍ରହଣ କରିବା ଓ ତାଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଏକପ୍ରକାର ବାଧ୍ୟ ହୋଇଛି।
ସଂଯୋଗକ୍ରମେ ଆଲ୍ଭାଙ୍କ ଶାଶୂ ଭାଓଲେଟ୍ ଜଣେ ସ୍ବାଧୀନତା ସଂଗ୍ରାମୀ ଏବଂ ସେ ୧୯୬୯ ମସିହାରେ ରାଜ୍ୟସଭା ଉପାଧ୍ୟକ୍ଷା ଥିଲେ। ଜାକିର ହୁସେନଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ଭିଭି ଗିରି ରାଷ୍ଟ୍ରପତି ହେଲେ। ସେତେବେଳେ ଭାଓଲେଟ୍ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଇନ୍ଦିରା ଗାନ୍ଧି ଭାଓଲେଟ୍ଙ୍କ ବଦଳରେ ଜିଏସ୍ ପାଠକଙ୍କୁ ସମର୍ଥନ କଲେ। ଏହାପରେ (ନଭେମ୍ବର ୧୯୬୯) ଭାଓଲେଟ୍ ରାଜ୍ୟସଭା ଉପାଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ଏବଂ ତା’ର ପାଞ୍ଚଦିନ ପରେ ମସ୍ତିଷ୍କାଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
