ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖାଇବା ପିଇବା ସାମଗ୍ରୀ ଉପରେ ଜିଏସଟି ଲାଗୁକୁ ନେଇ ବରିଷ୍ଠ କଂଗ୍ରେସ ନେତା କମଲନାଥ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋଦି ସରକାର ଏପରି କରି ଜନତାଙ୍କ ବଞ୍ଚିବାର ଅଧିକାର ଛଡେଇ ନେବାକୁ ଚାହୁଁଥିବା କହିଛନ୍ତି। କମଲନାଥ ଏ ନେଇ ଏକ ଟ୍ୱିଟ୍‌ କରିଛନ୍ତି, ଏଥିରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମୂଲ୍ୟ ବୃଦ୍ଧିରେ ଜୀବିକା ନିର୍ବାହ କରିବାକୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସରକାର ନିତି ନୂଆ ଜନବିରୋଧୀ ନିଷ୍ପତ୍ତି ନେଉଥିବା ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟହ ଲୋକଙ୍କ ଆବଶ୍ୟକତାରେ ଆସୁଥିବା ଅଟା, ଡାଲି, ଚାଉଳ, ଗହମ ଓ ଦହି ଭଳି ପ୍ୟାକେଜ୍ ଖାଦ୍ୟ ଆଦିକୁ ଜିଏସଟି ଅନ୍ତର୍ଗତ କରିଛନ୍ତି। ଏଥିରୁ ସରକାର ହସ୍ପିଟାଲ ବେଡକୁ ବାଦ ଦେଇ ନାହାନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଉଲ୍ଲେଖ କରିଛନ୍ତି। ଲୋକେ ମୂଲ୍ୟ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଏପରି ଜନବିରୋଧୀ ନିଷ୍ପତ୍ତି ଲୋକଙ୍କୁ ଆହତ କରିବା ଭଳି ହୋଇଥିବା କମଲନାଥ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଏପରି ନିଷ୍ପତ୍ତି ନେଇ ଜନତାଙ୍କଠୁ ସେମାନଙ୍କ ବଞ୍ଚିବାର ଅଧିକାର ଛଡେଇ ନେବାକୁ ଚାହୁଁଛନ୍ତି। ଗୋଟିଏ ପଟେ ରୋଜଗାର କି କାରବାର ନଥିବା ବେଳେ ଯାହା ଯେମିତି ଲୋକେ ଚଳୁଛନ୍ତି ତାକୁ ବି ସରକାର ସମାପ୍ତ କରିଦେବାକୁ ଚାହୁଁଥିବା କହିଛନ୍ତି। ତେବେ କେବଳ କମଲନାଥ ନୁହନ୍ତି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସାଙ୍ଗକୁ ହସ୍ପିଟାଲ ବେଡକୁ ଜିଏସଟି ଅନ୍ତର୍ଗତ କରାଯାଇଥିବାରୁ ବିରୋଧୀ ଦଳମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି।