ରାଜସ୍ଥାନ ହାଇଡ୍ରାମାରେ କମଲନାଥଙ୍କ ଏଣ୍ଟ୍ରି; ଗେହଲଟ-ପାଇଲଟଙ୍କ ମଧ୍ୟରେ କରିବେ ମଧ୍ୟସ୍ଥତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ସାମିଲ ହେବା ପରେ ରାଜସ୍ଥାନର ରାଜନୈତିକ ମାହୋଲ ସରଗରମ ରହିଛି। କଂଗ୍ରେସ ଭିତରେ ଥିବା ଦଳୀୟ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ଗେହଲଟ ଗୋଷ୍ଠୀଙ୍କ ବିରୋଧ ପରେ ପୁଣି ଥରେ ସଚିନ ପାଇଲଟଙ୍କ ନିକଟରୁ ମୁଖ୍ୟମନ୍ତ୍ରୀ ଚଉକି ଦୂରେଇ ଗଲା ଭଳି ଲାଗୁଛି।ବର୍ତ୍ତମାନ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତିମଧ୍ୟରେ ରାଜସ୍ଥାନ ରାଜନୈତିକ ହାଇଡ୍ରାମାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏଣ୍ଟ୍ରି ହୋଇଛି।

କମଲନାଥ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ କଂଗ୍ରେସର ହାଇକମାଣ୍ଡ କମଲନାଥଙ୍କୁ ଦିଲ୍ଲୀ ଡକାଇଛନ୍ତି। ସେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା କରାଇ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିବେ। ଅନ୍ୟପଟେ ଜୟପୁରର ମ୍ୟାରିଅଟ୍‌ ହୋଟେଲରେ ଅଶୋକ ଗେହଲଟ, ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସାକ୍ଷାତକାର କରିଛନ୍ତି। ସେହିପରି ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଜୟପୁରରେ ଥିବା ତାଙ୍କ ବାସଭବନରେ ଏକାଠି ହେଉଥିବା ଖବର ହସ୍ତଗତ ହୋଇଛି।

Related Posts