ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ ବାସଭବନ ଥିବା ବେଳେ ସେ ଆଜି ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସୁବାସ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୯୧ ମସିହାରେ କଂଗ୍ରେସ ଟିକେଟ୍ରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ସଂସଦ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରି ସେ ସେତେବେଳେ ଚର୍ଚ୍ଚାରେ ରହିଥିଲେ। ସୁବାସ ଚନ୍ଦ୍ର ନାୟକ ଗୋଟିଏ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡି ଓ ବିଜେପିରେ ମଧ୍ୟ ଯୋଗ ଦେଇଥିଲେ।
ତେବେ ଆଜି ତାଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
