ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ। କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି ।
ଧୋକାବାଜ ପାକିସ୍ତାନକୁ ଧୂଳି ଚଟାଇଥିଲା ଭରତୀୟ ଯବାନ । ଭାରତ ଆଗରେ ନୁଆଇଁଥିଲା ମୁଣ୍ଡ । ଛତ୍ରଭଙ୍ଗ ଦେଇଥିଲା ପାକିସ୍ତାନୀ ସେନା । ସେଦିନ ସହିଦ ହୋଇଥିବା ଭାରତୀୟ ବାହାଦୂର ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ ।
ଆଜିକୁ ୨୦ ବର୍ଷ ତଳେ ଧୋକା ଦେଇଥିଲା ପାକିସ୍ତାନ । ଟ୍ରେନ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । ପୁଣି ଥରେ ସେଦିନର ସେହି ବିଜୟକୁ ମନେ ପକାଇ ଦେଶ ଆଜି ପାଳନ କରୁଛି ବିଜୟ ଦିବସ ।
ଆଜିର ଦିନରେ ଭାରତୀୟ ଜବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ ଅପରେସନ ବିଜୟର ଶଙ୍ଖନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭ ଜବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା ।
ଏହି ଅବସରରେ କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏଥିରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ତିନି ସେନାମୁଖ୍ୟ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।
