ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହଟ୍ଟଗୋଳ ହୋଇଛି। ଏ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କାଶୀପୁରରେ ଝାଡ଼ାବାନ୍ତିରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସରକାରଙ୍କ ତରଫରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।ଅନ୍ୟ ୫ ଜଣଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି । ଯଦି ସେମାନଙ୍କର ସ୍ବାଭାବିକ ମୃତ୍ୟୁ ହୋଇଛି, ତେବେ ସେମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ମୋହନ ଦାବି କରିଛନ୍ତି । ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁ କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ବର୍ତ୍ତମାନ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କଲାଣି । ଉତ୍କଳ ଆଲୁମିନା ୱାଟର ଟ୍ରିଟ୍ମେଣ୍ଟ ନକରି ଦୂଷିତ ପାଣି ଛାଡୁ ଥିବାରୁ ଏପରି ଅବସ୍ଥା ଉପୁଜୁଥିବା ମାଝି କହିଛନ୍ତି। ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ୍ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଏଥିସହ ମୋହନ କହିଛନ୍ତି, କାଶୀପୁରରେ ଡ୍ରେନେଜ ବ୍ୟବସ୍ଥା ନାହିଁ। ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ଦୂଷିତ ପାଣି ପିଉଛନ୍ତି। ସୁଷମ ଖାଦ୍ୟ ଖାଇବାକୁ ପାଉ ନାହାନ୍ତି। କାଶୀପୁରରେ ଲୋକଙ୍କ ଘର ସାମନାରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। ତଳେ ପାଇପ କନେକ୍ସନ ବ୍ୟବସ୍ଥା କରାଯାଇଛି। ପାଇପ ଅଛି, ଷ୍ଟାଣ୍ଡପୋଷ୍ଟ ଅଛି, କିନ୍ତୁ ତାହାକୁ ସଂଯୋଗ କରାଯାଇ ନାହିଁ। ହଇଜା ଏଠାରେ ଆପେ ଆପେ ହୋଇନାହିଁ । ଏହା ମନୁଷ୍ୟକୃତ ଓ ସରକାରଙ୍କ ଅବହେଳାରୁ ଏହି ଘଟଣା ହୋଇଛି ବୋଲି ମୋହନ ବିଧାନସଭାରେ କହିଛନ୍ତି।





