ପୁରୀ: ପୁରୀ ଷ୍ଟେଶନରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଟ୍ରେନ ଭିତରୁ ଏକ ନବଜାତ ଶିଶୁ କୁ ଉଦ୍ଧାର କରାଯାଇଛି । ୪ ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ବିନୀ ଏକ୍ସପ୍ରେସର ଏକ ବଗି ଭିତର ସିଟ ତଳୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି।
ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ବଗି ଭିତରେ ଶିଶୁ କାନ୍ଦ ଶୁଣିବାକୁ ମିଳିଥିଲା। ଆରପିଏଫ୍ କର୍ମଚାରୀ ଯାଇ ଏକ ଶିଶୁକୁ କେହି ସିଟ ତଳେ ଛାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ପାଇଥିଲେ।
ଉଦ୍ଧାର ପରେ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଏହି ଶିଶୁକୁ ଛାଡ଼ି ଯାଇଛି ସେ ନେଇ ଜଣାପଡ଼ିନାହିଁ। ଆରପିଏଫ୍, ଜିଆର୍ପି ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଭାବେ ଷ୍ଟେଶନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଏହି ଘଟଣା ଏବେ ବୁଦ୍ଧିଜୀବୀ ମହଲରେ ଉଦ୍ବେଗର ବିଷୟ ପାଲଟିଛି।
