ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଶିବସେନା ର ରାଜ୍ୟସଭା ସାଂସଦ ହୋଇଥିବା ସଞ୍ଜୟ ରାଓ୍ୱତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ମହାରାଷ୍ଟ୍ରରେ ସକ୍ରିୟ ହୋଇ ଉଠିଥିବା ବେଳେ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଛି । ତଦନ୍ତକାରୀ ସଂସ୍ଥା ଶିବସେନାରୁ ରାଜ୍ୟସଭା ସାଂସଦ ହୋଇଥିବା ସଞ୍ଜୟ ରାଓ୍ୱତଙ୍କ ମୁମ୍ବାଇ ଭାଣ୍ଡୁପ୍ ସ୍ଥିତ ଘରେ ଚଢଉ କରିଛି । ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟ ନିଆଯାଇପାରେ । ରାଓ୍ୱତ ୧୦୩୪ କୋଟି ଟଙ୍କାର ପାତ୍ର ଚଲ୍ ଦୁର୍ନୀତି ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।

ରାଓ୍ୱତଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଇଡି ପଚରାଉଚରା କରିଥିଲା । ଏହାପରେ ଜୁଲାଇ ୨୦ ଓ ୨୭ ତାରିଖରେ ନୋଟିସ କରାଯାଇଥିଲା । କିନ୍ତୁ ସେ ନିଜ ଓକିଲଙ୍କ ଜରିଆରେ ସଂସଦ ଅଧିବେଶନ କାରଣରୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ଏହି ମାମଲାରେ ପୂର୍ବରୁ ଇଡି ତାଙ୍କର ଦାଦର ଓ ଅଲିବାଗ ସମ୍ପତ୍ତିକୁ ଆଟାଚ୍ କରିସାରିଛି ।

ଏହାପୂର୍ବରୁ ମଧ୍ୟ ଇଡି ରାଓ୍ୱତଙ୍କୁ ସମନ ଜାରି କରିଥିଲା । ସେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରଚାର କଥା କହି ସମୟ ମାଗିଥିଲେ । ମାମଲାରେ ସଞ୍ଜୟ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।

ଆସନ୍ତୁ ଜାଣିବା କଣ ପାତ୍ର ଦୁର୍ନୀତି ମାମଲା:

ଇଡିର କହିବାନୁସାରେ, ଗୁରୁ ଆଶୀଷ କନଷ୍ଟ୍ରକସନକୁ ପାତ୍ର ଚଲର ପୁନଃ ବିକଶିତ କରିବା କାମ ମିଳିଥିଲା । ଏହାକୁ ଏମଏଚଏଡିଏ ସଂସ୍ଥାକୁ ଦେଇଥିାଲା । ଏହାଦ୍ୱାରା ମୁମ୍ବାଇର ଗୋରେଗାଓ୍ଁରେ ୪୭ ଏକର ଓ ପାତ୍ରଚାଲରେ ୬୭୨ ଘରକୁ ପୁନଃ ବିକଶିତ କରାଯାଇଥାନ୍ତା । କିନ୍ତୁ ସଂସ୍ଥା ସରକାରଙ୍କୁ ବୋକା ବନାଇ ଏହି ଜମି ୯୦୧ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା । ଏହାପରେ କମ୍ପାନୀ ଯେଉଁ ଲାଭ କରିଥିଲା ସେଥିରୁ ୧୦୦ କୋଟି ପ୍ରବୀଣ ରାଓ୍ୱତଙ୍କ ଆକାଉଣ୍ଟକୁ ପଠାଇଥିଲା । ପ୍ରବୀଣ ରାଓ୍ୱତଙ୍କ ପତ୍ନୀ ସଞ୍ଜୟ ରାଓ୍ୱତଙ୍କ ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୮୩ ଲକ୍ଷ ଟଙ୍କା ପଠାଇଥିଲେ । ଏଥିରେ ବର୍ଷା ଏକ ଫ୍ଲାଟ୍ କିଣିଥିଲେ ।

ସେପଟେ ପ୍ରବୀଣ ଓ ସଞ୍ଜୟ ବନ୍ଧୁ ବୋଲି ଇଡି କହିଥିଲା । ଫଳରେ ସଞ୍ଜୟ ଏହି ମାମଲା ମଧ୍ୟକୁ ଟାଣି ହୋଇ ଆସିଥିଲେ।