ଘୋଷଣା ହେଲା ଏସିଆ କପ କ୍ରିକେଟ ପାଇଁ ଖେଳସୂଚୀ, ଅଗଷ୍ଟ ୨୮ରେ ଭାରତ ପାକିସ୍ତାନ ଲଢେଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ମାସରେ ୟୁଏଇରେ ହେବାକୁ ଥିବା ଏସିଆ କପ କ୍ରିକେଟ ନିମନ୍ତେ ଖେଳସୂଚୀ ଘୋଷଣା କରାଯାଇଛି । ଅଗଷ୍ଟ ୨୭ ରେ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ ଦଳ। ଏହାର ପର ଦିନ ଅର୍ଥାତ ଅଗଷ୍ଟ ୨୮ରେ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅନୁଷ୍ଠିତ ହେବ ।ଦୁବାଇଠାରେ ହେବାକୁ ଥିବା ଏହି ମ୍ୟାଚ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ଏକ କ୍ବାଲିଫାୟର ଟିମ ରହିଛନ୍ତି । ଗ୍ରୁପ-ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି ।

ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ରେ ଦୁବାଇଠାରେ ଖେଳାଯିବ । ପ୍ରତି ଗ୍ରୁପରୁ ୨ଟି ଦଳ ସୁପର-୪ ରାଉଣ୍ଡରେ ଖେଳିବେ । ଏହି ରାଉଣ୍ଡରେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ହେବାର ସମ୍ଭାବନା ରହିଛି । ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବ ଓ ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭାଗ ନେବେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶ୍ରୀଲଙ୍କାରେ କରାଯିବାକୁ ଧାର୍ଯ୍ୟ ହୋଇଥିଲେ ବି ସେଠାରେ ଚାଲିଥିବା ଅସ୍ଥିରତା ଯୋଗୁଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲା । ଏହାପରେ ୟୁଏଇରେ ଏହାକୁ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Related Posts