ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇବେ ଓଡ଼ିଶା ବିଧାୟକ ଦଳ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେନୃତ୍ବରେ ୨୩ଜଣିଆ ବିଧାୟକ ଟିମ୍ ଦିଲ୍ଲୀରେ ପହଂଚିଛନ୍ତି।

ଓଡ଼ିଶାର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଦିଲ୍ଲୀ ଯାଇଛନ୍ତି ବିଧାୟକ ପ୍ରତିନିଧି ଦଳ । ଏହି ଟିମରେ ମନ୍ତ୍ରୀଙ୍କ ସମେତ କଂଗ୍ରେସ ବିଜେପି ଓ ବିଜେଡି ବିଧାୟକ ଅଛନ୍ତି । ଯିବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ ହୋଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣରୁ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଟିମରେ ଯାଇପାରିନାହାନ୍ତି ।

ତେବେ ବୁଧବାର ପୂର୍ବାହ୍ନ ୧୦ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ବସିବ । ପରେ ସକାଳ ରାଇସିନା ଅଭିମୁଖେ ବାହାରିବେ ପ୍ରତିନିଧି ଦଳ । ସକାଳ ୧୦ଟା ୪୫ରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ଦିନ ୧୧ଟା ୩୦ରେ ରାଷ୍ଟ୍ରପତିଙ୍କୁ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିବେ ସର୍ବଦଳୀୟ ପ୍ରତିନିଧି ଦଳ । ରାଷ୍ଟ୍ରପତିଙ୍କୁ ସାକ୍ଷାତ ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିବ ଟିମ। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଙ୍କୁ ସାକ୍ଷାତ କରିବ ବିଧାନସଭା ଟିମ୍ ।