ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଟେବୁଲ୍ ଟେନିସରେ ସ୍ଵର୍ଣ୍ଣ ପଦକ ହାସଲ କଲା ଭାରତୀୟ ପୁରୁଷ ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରୁଛି ଭାରତ । ଗୋଟିଏ ପରେ ଗୋଟିଏ ପଦକ ଭାରତ ନିଜ ନାଁ ରେ କରୁଛି । ତେବେ ଏହାରି ମଧ୍ୟରେ ଭାରତୀୟ ପୁରୁଷ ଦଳ ଟେବୁଲ୍ ଟେନିସରେ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛି।

ଫାଇନାଲ୍ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ଏହି ସଫଳତା ପାଇଛି। ଭାରତପକ୍ଷରୁ ହରମୀତ ଦେଶାଇ ଏବଂ ଜି ସାଥିୟାନ ଡବଲ୍ସ ମ୍ୟାଚ୍ ଜିତି ଭାରତକୁ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ନିଜ ନିଜ ମୁକାବିଲା ଜିତି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ଏ ପର୍ଯ୍ୟନ୍ତ ୧୨ଟି ପଦକ ଜିତି ସାରିଛି। ଏଥିରେ ପାଞ୍ଚ ସ୍ଵର୍ଣ୍ଣ, ଚାରି ରୌପ୍ୟ ଏବଂ ତିନି କାଂସ୍ୟ ପଦକ ରହିଛି। ବଡ କଥା ଏଥିରୁ ସାତ ପଦକ ଭାରୋତ୍ତୋଳନରୁ ଆସିଛି। ଦୁଇଟି ପଦକ ଜୁଡୋରୁ, ଗୋଟିଏ ଲନ ବଲ୍ସ ଏବଂ ଗୋଟିଏ ପଦକ ଟେବୁଲ ଟେନିସ୍‌ରୁ ଆସିଛି।

ଭାରତ ପୁରୁଷ ଟେବୁଲ ଟେନିସରେ ଦଳଗତ ପ୍ରତିଯୋଗିତାରେ ଦ୍ଵିତୀୟ ଥର ସ୍ଵର୍ଣ୍ଣ ପଦକ ଜିତିଛି। ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ଦଳ ସ୍ଵର୍ଣ୍ଣ ପଦକ ଜିତିଥିଲା। ଦଳ ଫାଇନାଲରେ ନାଇଜେରିଆକୁ ୩-୦ରେ ପରାସ୍ତ କରିଥିଲା।

ସେମି ଫାଇନାଲରେ ଭାରତ ନାଇଜେରିଆକୁ ୩-୦ରେ ହରାଇଥିଲା। ଏହା ପୂର୍ବରୁ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଧମାକାଦାର ଆରମ୍ଭ କରି ବାରବାଡୋସ, ସିଙ୍ଗାପୁର ଏବଂ ଉତ୍ତର ଆୟରଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ସିଙ୍ଗାପୁର ସେମି ଫାଇନାଲରେ ଇଂଲଣ୍ଡକୁ ୩-୨ରେ ହରାଇ ଫାଇନାଲରେ ପହଞ୍ଚିଥିଲା।

Related Posts